ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ, ମାଲକାନଗିରି ଜିଲାର ବିକାଶ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ମାଲକାନଗିରି ଜିଲା ଯୋଜନା କମିଟିର ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, କୃଷି, ଖାଦ୍ୟଯୋଗାଣ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଜି ଇଲେକ୍‌ଟ୍ରୋନିକ୍ସ୍‌, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲା ଯୋଜନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ରଖିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲାର ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ଦିଗରେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ଉଦ୍‌ବୋଧନ ଦେଇଥିଲେ ।

ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଓକାକ୍‌ରେ ଉପସ୍ଥିତ ରହି ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲାର କୋଭିଡ୍‌ ପରିଚାଳନା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଯେପରି ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ସେଥିନେଇ ମନ୍ତ୍ରୀ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।


ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ଜିଲାର କୃଷି, ଖାଦ୍ୟଯୋଗାଣ, ଗ୍ରାମ୍ୟ ଉନ୍ନୟନ, ସଡ଼କ ନିର୍ମାଣ, କୋଠାବାଡ଼ି, ବିଜୁ କେବିକେ ଏବଂ ଜିଲ୍ଲାର ସାମଗ୍ରିକ ବିକାଶ ଓ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରିତ ଢଙ୍ଗରେ ଆଗେଇ ଚାଲୁଥିବାରୁ ମନ୍ତ୍ରୀ ଶ୍ରୀ ବେହେରା ଜିଲାସ୍ତରୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ।
ବୈଠକରେ ମାଲକାନଗିରି ଜିଲାପାଳ ମନିଷ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ । ବୈଠକରେ ଜିଲ୍ଲାରେ ଅଧିକ ଡାକ୍ତର ନିଯୁକ୍ତି, ଆମ୍ବୁଲାନ୍ସ ସେବାର ସୁଦୃଢ଼ୀକରଣ, ଟେଲିଯୋଗାଯୋଗ ବ୍ୟବସ୍ଥାର ଅଧିକ ପ୍ରସାର ଦିଗରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ସହ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମାଥିଲି ବ୍ଲକ୍‌ ବିଡିଓ ଏବଂ ଜିଲାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.