କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାକୁ ବିଶ୍ବସ୍ତରୀୟ କ୍ରୀଡ଼ା ହବ୍‌ରେ ପରିଣତ କରିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ନେଇ ଚାଲିଥିବା କାର୍ୟ୍ୟର ଅଗ୍ରଗତି ଉପରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମୀକ୍ଷା କରିଛନ୍ତି। ଶନିବାର ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୫ଟି ଆଧାରରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ୟ୍ୟର ତଦାରଖ କରିଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ ଖେଲୋ ଇଣ୍ଡିଆ କ୍ରୀଡ଼ା, ପିଇଟି ତାଲିମ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟର କ୍ରୀଡ଼ା ଓ କ୍ରୀଡ଼ା ନୀତି ଉପରେ ଆଲୋଚନା କରା ଯାଇଥିଲା। ଓଡ଼ିଶାକୁ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପେଣ୍ଠସ୍ଥଳ ପରିଣତ କରିବା ଲକ୍ଷ୍ୟରେ ଜୟପୁର ଓ ପୁରୀ ଆଦି ସହରରେ ଇଣ୍ଟିଗ୍ରେଟେଡ୍‌ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ସହ ବ୍ରହ୍ମପୁର, ରାଉରକେଲା, ବୁର୍ଲା, କଟକରେ ସାଟେଲାଇଟ୍‌ ଷ୍ଟାଡିୟମ ଏବଂ ଗଞ୍ଜାମ, ବାରିପଦା, ଯାଜପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ ଓ କେନ୍ଦୁଝରରେ ସନ୍ତରଣାଗାର ନିର୍ମାଣ ଉପରେ ମନ୍ତ୍ରୀ ତୁଷାରକାନ୍ତି ସମୀକ୍ଷା କରିଥିଲେ।

ଏଥିସହିତ ଜନଜାତି ବିଦ୍ୟାଳୟକୁ କ୍ରୀଡ଼ା ସହଯୋଗ ସହ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କାର୍ୟ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ସେହିପରି କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ସିଟି ପ୍ରତିଷ୍ଠା, ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ କରିବା, ହାଇପର୍ଫର୍ମାନ୍‌ସ କେନ୍ଦ୍ର ମାଧ୍ୟମରେ ବିଶ୍ବସ୍ତରୀୟ ତାଲିମ ଏବଂ ପ୍ରଶିକ୍ଷଣ, ସୁନ୍ଦରଗଡ଼ ଜିଲାରେ ୧୭ଟି ବ୍ଲକରେ ସିନ୍ଥେଟିକ୍‌ ଟର୍ଫ ବିଛାଇବା, ମହିଳା ସ୍ପୋର୍ଟସ କ​‌େ​‌ମ୍ପ୍ଲକ୍ସ ନିର୍ମାଣ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୁବନୀତି ପ୍ରଣୟନ, ଭୁବନେଶ୍ବରରେ ଯୁବ ଭବନ ନିର୍ମାଣ, ତୃଣମୂଳସ୍ତରରେ କ୍ରୀଡ଼ା ପ୍ରୋତ୍ସାହନ କାର୍ୟ୍ୟକ୍ରମ ଆଦି କାର୍ୟ୍ୟର ଅଗ୍ରଗତି ଉପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Comments
Loading...