ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ଅଶୋକ ପଣ୍ଡା

ରାଉରକେଲା : ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଜଣାଇବା ପାଇଁ ରାଉରକେଲାର ଛେଣ୍ଡଠାରେ ଏକ ଜାତୀୟସ୍ତରୀୟ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯାଉଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଦିନ ଏହି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ରାଉରଲୋ ସ୍ମାର୍ଟସିଟିର ମିଳିତ ସହଯୋଗରେ ୮ ଏକର ଜମିରେ ଏହି ପ୍ରକଳ୍ପ କରାଯାଉଛି। ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍ କାର୍ଯ୍ୟକ୍ଷମ ହେବା ଫଳରେ ରାଉରକେଲା ସହର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନୂଆ ପରିଚୟ ପାଇବା ସହ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ।

‘‘ସ୍ମାର୍ଟ ସିଟି ରାଉରକେଲା ଆଜି ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ଏହି ବିକାଶରେ ବିଜ୍ଞାନ ପାର୍କ ଏବଂ ପ୍ଲାନେଟୋରିୟମ୍ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଏହା କାର୍ଯ୍ୟକ୍ଷମ ହେଲେ ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳର ଲୋକେ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇପାରିବେ। ବିଶେଷକରି ଛାତ୍ରଛାତ୍ରୀମାନଙ୍କର ଜ୍ଞାନର ପରିସୀମା ବୃଦ୍ଧି ପାଇ ପାରିବ’’ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ‘‘ଓଡ଼ିଶାକୁ ଆହୁରି ଆଗକୁ ନେବାକୁ ହେଲେ ଆମକୁ ବିଜ୍ଞାନ ସମ୍ମତ କାର୍ଯ୍ୟ ସହ ତାଳ ଦେଇ ଚାଲିବାକୁ ହେବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ ନିର୍ମାଣ କରାଯାଉଛି । ସେହିପରି କେତେକ ସ୍ଥାନରେ ବିଜ୍ଞାନ ପାର୍କ ସହ ପ୍ଲାନେଟୋରିୟମ ନିର୍ମାଣ କରାଯାଉଛି । ରାଉରକେଲାର ବିକାଶରେ ଏହି ପ୍ରକଳ୍ପ ବିଶେଷ ଭାବେ ସହାୟକ ହେବ ବୋଲି ଆଶା ରହିଛି।’’ ପ୍ଲାନେଟୋରିୟମ୍ ଓ ସାଇନ୍ସ ପାର୍କ ସହ ଏଠାରେ ଇଭୋଲ୍ୟୁସନ୍ ପାର୍କ, କ୍ୟାଫ୍‌ଟେରିଆ, ମୁକ୍ତାକାଶ ରଙ୍ଗମଞ୍ଚ, ସିନ୍ଥେଟିକ୍ ଟର୍ଫ ଖେଳପଡ଼ିଆ, ପାଥ୍ ୱେ, ସୁଇମିଂ ପୁଲ୍ ଆଦି ନିର୍ମାଣ କରାଯିବ।

ସେହିପରି ମନ୍ତ୍ରୀ ରାଉରକେଲାସ୍ଥିତ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର, ଆଶାଦୀପ ଥେରାପିୟୁଟିକାଲ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଭିନ୍ନକ୍ଷମ ହିତାଧିକାରୀ ଏବଂ କେତେକ ବରିଷ୍ଠ ନାଗରିକମାନଙ୍କୁ ହୁଇଲ ଚେୟାର, ଆଶା ବାଡ଼ି, ଶ୍ରବଣ ଯନ୍ତ୍ର ଆଦି ଉପକରଣ ବଣ୍ଟନ କରିଥିଲେ।

ଏହି ପରିଦର୍ଶନ ବେଳେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡାସିଂ ଏବଂ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.