ଦୀର୍ଘ ୧୨ ଘଣ୍ଟା ସମୁଦ୍ରରେ ପହଁରି ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚିଲେ ମନ୍ତ୍ରୀ

ଅଣ୍ଟାନାନାରିଭୋ : ଆଫ୍ରିକୀୟ ଦ୍ବୀପ ରାଷ୍ଟ୍ର ମାଡାଗାସ୍କରର ପୁଲିସ ବିଭାଗ ସଚିବ ବା ମନ୍ତ୍ରୀ ସର୍ଜେ ଗେଲ୍ଲେ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିବା ପରେ ନିଜ ଜୀବନ ବଞ୍ଚାଇବାକୁ ସେ ଦୀର୍ଘ ୧୨ ଘଣ୍ଟା କାଳ ପହଁରି ପହଁରି ମହମ୍ବୋ ସହର କୂଳରେ ଲାଗିଛନ୍ତି । ସୋମବାର ଦେଶର ଉତ୍ତର ପୂର୍ବାଞ୍ଚଳ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିଲା ; ଯେଉଁଥିରେ ୩୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମନ୍ତ୍ରୀଙ୍କ ସହ ମାତ୍ର ଦୁଇ ଜଣ ସୌଭାଗ୍ୟକ୍ରମେ ବଞ୍ଚି ଯାଇଛନ୍ତି । ଅନ୍ୟ ଦୁଇ ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ ଆଶଙ୍କା କରାଯାଉଥିଲା ; କିନ୍ତୁ ସେ କୂଳରେ ଲାଗିବା ପରେ ଦେଶବାସୀ ବିସ୍ମୟ ପ୍ରକାଶ କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ସେ ଆହତ ମଧ୍ୟ ହୋଇ ନାହାନ୍ତି ; ତେବେ ଅତ୍ୟଧିକ ପହଁରିବା କାରଣରୁ ଥକି ପଡ଼ିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥତା ଅନୁଭବ କରିବା ପରେ ୫୭ ବର୍ଷୀୟ ଗେଲ୍ଲେ କହିଛନ୍ତି ଯେ ତାଙ୍କର ମୃତ୍ୟୁ ସମୟ ଆସି ନ ଥିବାରୁ ସେ ବଞ୍ଚି ଯାଇଛନ୍ତି । ହେଲିକପ୍ଟରର ଏକ ଚୌକିକୁ ଧରି ସମୁଦ୍ରରେ ଦୀର୍ଘ ସମୟ ପହଁରିବା ସମ୍ଭବ ହୋଇଥିଲା ବୋଲି ଗେଲ୍ଲେ କହିଛନ୍ତି । ଉଦ୍ଧାରକାରୀ ଦଳ ଇତି ମଧ୍ୟରେ ସମୁଦ୍ର ଗର୍ଭରୁ ହେଲିକପ୍ଟରର ଭଗ୍ନାବଶେଷ ଓ ୧୮ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ ଯେ ଗେଲ୍ଲେ ଦେଶର ପୁଲିସ ବିଭାଗରେ ପ୍ରାୟ ୩୦ ବର୍ଷ କାର୍ଯ୍ୟ କରିଛନ୍ତି । ଗତ ଅଗଷ୍ଟରେ ହୋଇଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ପୁଲିସ ବିଭାଗର ମନ୍ତ୍ରୀ କରାଯାଇଛି ।

Comments are closed.