ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀକ୍ଷା କଲେ ରିଲିଫ୍‌ ଓ ଥଇଥାନ କାର୍ଯ୍ୟ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟସ୍‌’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ଯାଇ ଜିଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ୍‌ ଗଳି ଓ ଅରୋଡ଼ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ ବଣ୍ଟନ ନେଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ।

 

ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ସଦର ବ୍ଲକ୍‌ର ସାରଥା ଗ୍ରାମପଞ୍ଚାୟତର ସାରଥା, ଚକ୍ରସାରଥା, ଗଁନ୍ଦିଆ, ମୁହାଣ, ବାଙ୍ଗସିରି, ମେଘା, ହଳଦୀଗଡ଼ି, ଖୁଦକାଣ୍ଡିଆ, ମିରିଚି, ବୁଧିଆମାରି, ଖଡ଼ଖଡ଼ି ଏବଂ ଆଲବେନ୍ଦା ଗ୍ରାମପଞ୍ଚାୟତରେ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଥିଲେ। ବାଲେଶ୍ୱର ସଦରର ବିଭିନ୍ନ ଗ୍ରାମ ବୁଲି ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିବା ପରେ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କିପରି ହୋଇପାରିବ ସେ ବିଷୟରେ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ବୈଠକରେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଓ ଜିଲା ପ୍ରଶାସନର ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।
ଖୋଲାଯାଇଥିବା ଫ୍ରି କିଚେନ୍‌ରେ ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ପିଡିଏସ୍‌ ଚାଉଳ ଯୋଗାଇ ଦିଆଯାଇଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଚୁଡ଼ା ଓ ଗୁଡ଼ ମହଜୁଦ ଅଛି ଏବଂ ରିଲିଫ୍‌ ଆକାରରେ ଯୋଗାଇ ଦିଆଯାଉଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିଭାଗ ପକ୍ଷରୁ ମଇ ଓ ଜୁନ୍‌ ମାସର ରାସନ ସାମଗ୍ରୀ ସଂପୂର୍ଣ୍ଣ ଉଠାଣ ହୋଇ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ପିଇବା ପାଣି ଯୋଗାଇଦେବା ସହିତ ରାସ୍ତାଘାଟର ମରାମତି କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଜିଲାରେ ରାସ୍ତାଘାଟର ମରାମତି ପରେ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଚାଷୀମାନଙ୍କୁ ପୂର୍ବରୁ ଦିଆଯାଇଥିବା ଟୋକେନ୍‌ର ତାରିଖ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସମୀକ୍ଷା ବୈଠକରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ଭୋଗରାଇ ବିଧାୟକ ଅନନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ।

Comments are closed.