ଭଦ୍ରକ ଜିଲା: ବାତ୍ୟା ୟସର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ

ଭଦ୍ରକ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଯୋଗାଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ଜିଲାରେ ବାତ୍ୟା ‘ୟସ’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ଭଦ୍ରକଠାରେ ଜିଲା ପ୍ରଶାସନର ସଦ୍‌ଭାବନା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ବିଧାୟକ ବିଷ୍ଣଚରଣ ସେଠୀ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ ଓ ଜିଲ୍ଲାପାଳ ଡ. ଜ୍ଞାନ ଦାସ ପ୍ରମୁଖ ଯୋଗଦେଇଥିଲେ।
ଜିଲା ପ୍ରଶାସନ ପକ୍ଷରୁ ବାତ୍ୟାର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବିଦୁ୍ୟତ ସରବରାହକୁ ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଯୋଗାଇ ଦିଆଯାଉଛି ଏବଂ ଯେଉଁସବୁ ଅଞ୍ଚଳରେ ଲୁଣାପାଣି ମାଡ଼ିଯାଇଛି ତା’ର ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୃହପାଳିତ ପଶୁମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଅଞ୍ଚଳରେ ଘରଭଙ୍ଗା ଯାଞ୍ଚ କାର୍ଯ୍ୟ ଯଥାଶୀଘ୍ର ସାରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ ହିତାଧିକାରୀମାନଙ୍କୁ ପିଡ଼ିଏସ୍‌ ରାସନ ବଣ୍ଟନ ସନ୍ତୋଷଜନକ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

 

ଏଥି ସହିତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ସମସ୍ତଙ୍କ ନିଷ୍ଠାପର ଉଦ୍ୟମ, ତତ୍ପରତା ଓ ସହଯୋଗରେ ଖୁବ୍‌ଶୀଘ୍ର ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ଫେରିଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି।
ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ବିଭାଗୀୟ ନିର୍ବାହୀ ଓ ଅକ୍ଷୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।

Comments are closed.