ଏମଏସଏମଇ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲାରବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ, ଉଦ୍ୟୋଗଗୁଡିକର ନିରନ୍ତର ଅବିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ ସହାୟତା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧା ଜିଲାର ବିଭିନ୍ନ ସାଧାରଣ ଉଦ୍ୟୋଗ ଶିଳ୍ପ( ପବ୍ଲିକ୍ ସେକ୍ଚର ୟୁନିଟ) ପରିଦର୍ଶନ କରି ସେଗୁଡିକର ଦ୍ୱାରା ଉତ୍ପାଦନ, ବିକ୍ରୟ, ମାର୍କେଟିଂ ଓ ସରକାରୀ ପ୍ରୋତ୍ସାହନର ସ୍ଥିତି ସମୀକ୍ଷା କରିବା ସହିତ ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କରସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ର ଖୋର୍ଦ୍ଧା ଜିଲାର ଜାଆଁଳା ଓ ଜଟଣୀସ୍ଥିତ ସାଧାରଣ ଉଦ୍ୟୋଗ, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ ସ୍ଥିତ ଇଣ୍ଡୋନେସିଆନ୍ ଫୁଡସ୍ ପ୍ରା.ଲିଃ., ବିଜୟା ଗ୍ୟାସ ଆଇ.ଆଇ.ଡି. ସେଣ୍ଟର ଖୋର୍ଦ୍ଧା, ଖୋର୍ଦ୍ଧା ଶିଳ୍ପାଂଚଳରେ ଥିବା ସେଂଚୁଆରୀ ଫାଇବର ପ୍ଲେଟସ୍ ପ୍ରାଇଭେଟ୍ ଲିଃ, ଡେରାସ୍ ଫୁଡ୍ ପାର୍କ ସ୍ଥିତ ବି-ଓ୍ୱାନ୍ ବିଜନେସ୍ ହାଉସ୍ ପରିଦର୍ଶନ କରିଥିଲେ।
ଏହି ଗସ୍ତ ପରିପ୍ରେକ୍ଷୀରେ ମନ୍ତ୍ରୀ ଜାଣିବାକୁ ପାଇଥିଲେ ଯେ ସେଂଚୁଆରୀ ଫାଇବର ପ୍ଲେଟସ୍ ପ୍ରାଇଭେଟ୍ ଲିଃ,୧୫.୦୩ କୋଟି ଟଙ୍କା ଅର୍ଥ ବିନିଯୋଗରେ୨୦୧୫ରୁ କାର୍ୟ୍ୟକ୍ଷମ ହୋଇଛି ଓ ଏଥିରେ ୧୦୮ ଜଣ କର୍ମନିଯୁକ୍ତି ପାଇଛନ୍ତି। ଏହି ମଧ୍ୟମ ଉଦ୍ୟୋଗରେ ବିଭିନ୍ନ ପ୍ରକାର ମାଟ୍ରେସ,ସ୍ପ୍ରିଂ ମାଟ୍ରେସ, ଫୋମ ମ୍ୟାଟ୍ରେସ ଆଦି ଉତ୍ପାଦନ କରାଯାଉଛି। ସେହିପରି ୩୦.୮୭ କୋଟି ଟଙ୍କା ନିବେଶରେ ୨୦୧୪ରୁ କାର୍ୟ୍ୟକରୁଥିବା ବୃହତ୍ ଉଦ୍ୟୋଗ ଶ୍ରେଣୀର ଇଣ୍ଡୋନେସିଆନ୍ ଫୁଡସ୍ ପ୍ରା.ଲିଃରେ ୨୬୫ ଜଣ କର୍ମନିଯୁକ୍ତି ପାଇଥିବା ବେଳେ ୨୦୧୮ ରେ ଏହାର ଉତ୍ପାଦନ କ୍ଷମତାକୁ ସଂପ୍ରସାରିତ କରାଯାଇ ଏଥିରେ ଆଉ ଅଧିକ ୮୫ ଜଣ କର୍ମନିଯୁକ୍ତି ପାଇଛନ୍ତି। ସେହିପରି ୨୪.୦୯ କୋଟି ଟଙ୍କା ନିବେଶରେ ବାର୍ଷିକ ୬୦୦୦ ମେଟ୍ରିକ ଟନ୍ ଚିଙ୍ଗୁଡି ପ୍ରକ୍ରିୟାକରଣ କ୍ଷମତା ରଖୁଥିବା ଡେରାସ୍ ସ୍ଥିତ ବି.ଓ୍ୱାନ୍. ବିଜନେସ ପ୍ରା. ଲିଃ. ରେ ୨୦୦ ଜଣ କର୍ମନିଯୁକ୍ତି ପାଇଥିବା ବେଳେ ବାର୍ଷିକ ୧୦ ହଜାର ୫୦୦ ମେଟ୍ରିକ୍ ଟନ ପ୍ରକ୍ରିୟାକରଣ କ୍ଷମତା ରଖୁଥିବା ୨୫.୦୯ କୋଟି ଟଙ୍କା ନିବେଶରେ ସ୍ଥାପିତ ଏହାର ଦ୍ୱିତୀୟ ୟୁନିଟ୍ ରେ ୬୦୦ ଜଣ କର୍ମନିଯୁକ୍ତି ପାଇଛନ୍ତି। ସମସ୍ତ ଉଦ୍ୟୋଗ ପରିଦର୍ଶନ କରି ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଶିଳ୍ପଦ୍ୟୋଗ ଗୁଡିକର ନିରନ୍ତର ଅଭିବୃଦ୍ଧି ନିମନ୍ତେ ସେସବୁର ନିୟମିତ ଅନୁଧ୍ୟାନ କରିଯେଉଁସବୁ ସରକାରୀ ସହାୟତା ଓ ସହଯୋଗର ଆବଶ୍ୟକତା ରହିଛି, ସେ ସଂପର୍କରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଜୟା ଗ୍ୟାସ୍ ପାଇଁ ୧.୦୦୮ ଏକର ଜାଗା ଯୋଗାଇ ଦିଆଯାଇଛି। ଏଠାରେ ମେଡିକାଲ ଅକ୍ସିଜେନ୍, ଶିଳ୍ପପାଇଁ ଅକ୍ସିଜେନ୍ ଓ ନାଇଟ୍ରୋଜେନ୍ ଗ୍ୟାସ ଉତ୍ପାଦିତ ହେଉଛି । ୧.୭୧ କୋଟି ନିବେଶରେ ଏହା ୨୦୧୪ ମସିହାରୁ କାର୍ୟ୍ୟ କରୁଥିବା ବେଳେ କୋଭିଡ୍-୧୯ ସମୟରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାକୁ ମେଡିକାଲ ଅକ୍ସିଜେନ୍ ଯୋଗାଇବାରେ ଏହା ଉଲ୍ଲେଖନୀୟ ଯୋଗଦାନ କରିଥିଲା ।ଉଦ୍ୟୋଗୀମାନଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ଏମଏସଏମଇ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି ଓ ଏହାର ସୁବିଧା ନେବାକୁ କ୍ୟାପଟେନ୍ ମିଶ୍ର କହିଛନ୍ତି।
ଏହି ପରିଦର୍ଶନ ସମୟରେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଏକ୍ସପୋର୍ଟ ପ୍ରମୋଶନ ଓ ମାର୍କେଟିଂ ନିର୍ଦ୍ଦେଶକ, ଜେନେରାଲ ମ୍ୟାନେଜର, ଜିଲା ଶିଳ୍ପକେନ୍ଦ୍ର,ଭୁବନେଶ୍ୱର ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲାର ବିଭିନ୍ନ ଉଦ୍ୟୋଗ ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର କଟକ ଗସ୍ତ କରି ଭାରତ ମସଲା ପ୍ରା.ଲିମିଟେଡ୍ ପରିଦର୍ଶନ କରିଥିଲେ ।

Comments are closed.