ସଫେଇ କର୍ମଚାରୀ ଅସୁସ୍ଥ ଥିବାରୁ… ରାସ୍ତାରେ ଝାଡ଼ୁ ମାରିଲେ ମନ୍ତ୍ରୀ ଓ ପତ୍ନୀ

ନୂଆଦିଲ୍ଲୀ: ଦେଶରେ ଲକଡାଉନ ସମୟରେ କେବଳ କିଛି ଅତ୍ୟାବଶ୍ୟକ ସେବା ଜାରି ରହିଛି। ତାହା ମଧ୍ୟରୁ ଗୋଟିଏ ହେଉଛି ସଫେଇ କାର୍ଯ୍ୟ। ଦେଶବ୍ୟାପୀ ସଫେଇ କର୍ମଚାରୀମାନେ ରାତି ପାହିଲେ ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳରେ ସହରର ରାସ୍ତାଘାଟ ସଫେଇରେ ଲାଗିପଡୁଛନ୍ତି। ଦେଶରେ ଏଭଳି ସ୍ଥିତିରେ ଏହି କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ତେବେ କର୍ଣ୍ଣାଟକରେ ସଫେଇ କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା ଲାଗି ଜଣେ ମନ୍ତ୍ରୀ ନିଜେ ଝାଡ଼ୁ ଧରି ରାସ୍ତାରେ ସଫେଇ କରିଛନ୍ତି। ଏପରି କି ତାଙ୍କ ପତ୍ନୀ ମଧ୍ୟରେ ଏଥିରେ ସାମିଲ ହୋଇଛନ୍ତି। ମନ୍ତ୍ରୀଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ବହୁ ପ୍ରଶଂସା କରାଯାଇଛି।

ଲକ୍‌ଡାଉନ ସମୟରେ କର୍ଣ୍ଣାଟକର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ. ସୁରେଶ କୁମାର ଓ ତାଙ୍କ ପତ୍ନୀ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟର ମହତ୍ଵକୁ ଲୋକଲୋଚନକୁ ଆଣିବା ଲାଗି ଏଭଳି ପ୍ରୟାସ କରିଛନ୍ତି। ଏଥିପାଇଁ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମପି) କମିଶନର ବି.ଏଚ. ଅନିଲ କୁମାର ଓ ଅନ୍ୟମାନେ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ପ୍ରଶଂସା କରିଛନ୍ତି। ଅନିଲ କୁମାର ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ଫଶୋ ଶେୟାର କରି କହିଛନ୍ତି, ମନ୍ତ୍ରୀ ରହୁଥିବା ଅଞ୍ଚଳରେ ସଫେଇ ଦାୟିତ୍ଵରେ ଥିବା ସଫେଇ କର୍ମଚାରୀଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ସକାଳେ କିପରି ସଫେଇ କାମ କରିବେ ତାହାକୁ ନେଇ ଚିନ୍ତିତ ଥିଲେ। ତାଙ୍କୁ ଅଶ୍ବସ୍ତି ଦେବା ଲାଗି ମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ନିଜେ ହାତରେ ଝାଡ଼ୁ ଧରି ରାସ୍ତା ସଫା କରିଥିଲେ। ଏହା ମାନବିକତାର ସବୁଠୁ ବଡ଼ ପରିଚୟ ବୋଲି କୁମାର କହିଛନ୍ତି।

Comments are closed.