ଖଣି ଦୁର୍ନୀତି ଜରିମାନା ଦାଖଲ ମାମଲା ; ନିଲାମ ହେବ ୬ ଲିଜ୍‍ଧାରୀଙ୍କ ସମ୍ପତ୍ତି

କେନ୍ଦୁଝର : କେନ୍ଦୁଝର ଜିଲାରେ ହୋଇଥବା ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତିର ଜୋରିମାନା ଦାଖଲ କରିନଥିବା ୩୧ଟି ଖଣିର ୨୩ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ମାମଲାରେ ଶନିବାର ନୋଟିସ୍‍ ହୋଇଥିବା ୧୧ ଖଣି ଲିଜ୍‍ଧାରୀଙ୍କ ମଧ୍ୟରୁ ୮ଜଣ ଲିଜ୍‍ଧାରୀ ଓକିଲଙ୍କ ଜରିଆରେ ଜିଲାପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିବା ବେଳେ ୩ଲିଜ୍‍ଧାରୀ ଅନୁପସ୍ଥିତ ଥିବା ଜଣାପଡିଛି। ସାରଦା ମାଇନ୍ସ, ବିପିଏମଇ, ଡ. ସରୋଜିନୀ ପ୍ରଧାନ, ଓଏମଡିସି, ବି.ଡି.ପଟ୍ଟନାୟକ, ଫେକର ଓ ନାରାୟଣୀ ସନ୍ସ ପ୍ରା.ଲିଃର ଯୋଡା ଓ କେନ୍ଦୁଝର ଖଣିକ୍ଷେତ୍ର ଅଧୀନ ୨ ଖଣି ଲିଜ୍‍ଧାରୀଙ୍କୁ ମିଶାଇ ୮ ଲିଜ୍‍ଧାରୀ ଜିଲାପାଳଙ୍କ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ତେବେ ନୋଟିସ୍‍ ସତ୍ତ୍ବେ ଲିଜ୍‍ଧାରୀ ଶିବଦତ୍ତ ଶର୍ମା, ବି.କେ.ମହାନ୍ତି ଓ ବାସୁଦେବ ଅଗ୍ରୱାଲ ଶନିବାର କୋର୍ଟରେ ହାଜର ହୋଇନଥିଲେ ସୁଦ୍ଧା ମାମଲାର ବିଚାର କରାଯାଇ ଶୁଣାଣି କରାଯାଇଛି।
ଶନିବାର ଶୁଣାଣି ପରେ ଶିବଦତ୍ତ ଶର୍ମା, ବାସୁଦେବ ଅଗ୍ରୱାଲ, ବି.କେ.ମହାନ୍ତି, ବିପିଏମଇ ଏବଂ ନାରାୟଣୀ ସନ୍ସ ପ୍ରା.ଲିଃ ଲିଜ୍‍ଧାରୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି ଘୋଷଣା କରାଯାଇ ସ୍ଥାନୀୟ ପୁଲିସ ପ୍ରଶାସନ ସହଯୋଗରେ ମାଜିଷ୍ଟ୍ରେଟ୍‍ଙ୍କ ଦ୍ୱାରା ମାସକ ମଧ୍ୟରେ ସମ୍ପତ୍ତି ଜବତ କରାଯାଇ ନିଲାମ ନିମନ୍ତେ ନୋଟିସ୍‍ ଜାରି କରାଯାଇଛି। ଲିଜ୍‍ଧାରୀ ବି.ଡି.ପଟ୍ଟନାୟକଙ୍କୁ ହୋଇଥିବା ଜୋରିମାନା ଅର୍ଥ ୮କୋଟି ୯୬ଲକ୍ଷ୧ହଜାର ୮୨୫ ଟଙ୍କା ମଧ୍ୟରୁ ୧କୋଟି ଟଙ୍କା ପଇଠ ହୋଇଥିବା ବେଳେ ଅବଶିଷ୍ଟ ଜୋରିମାନା ଅର୍ଥ ଆସନ୍ତା ୨୯ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ୨୯ ତାରିଖ ସୁଦ୍ଧା ଜୋରିମାନା ଅର୍ଥ ଦାଖଲ ନହେଲେ ଲିଜ୍‍ଧାରୀ ବି.ଡି.ପଟ୍ଟନାୟକ ଓ ଫେକର କମ୍ପାନୀର ସମ୍ପତ୍ତିକୁ ବାଜ୍ୟାପ୍ତି ଘୋଷଣା କରାଯାଇ ସ୍ଥାନୀୟ ପୁଲିସ ପ୍ରଶାସନ ସହଯୋଗରେ ମାଜିଷ୍ଟ୍ରେଟ୍‍ଙ୍କ ଦ୍ୱାରା ମାସକ ମଧ୍ୟରେ ସମ୍ପତ୍ତି ଜବତ କରାଯାଇ ନିଲାମ ନିମନ୍ତେ ନୋଟିସ୍‍ ଜାରି କରାଯିବ ବୋଲି ଆଦେଶ ହୋଇଛି। ତେବେ ସାରଦା ମାଇନ୍ସର ଜୋରିମାନା ସମ୍ପର୍କିିତ ମାମଲା ଉଚ୍ଚତ୍ତମ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଆସନ୍ତା ଜୁଲାଇ ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଓଏମ୍‍ଡିସି ଖଣିକୁ ଜୋରିମାନା ନୋଟିସ୍‍ ହୋଇଥିବା ୬୭୫ କୋଟି ୭୦ଲକ୍ଷ ୧୨ହଜାର ୩୩୮ଟଙ୍କା ମଧ୍ୟରୁ ୫୧୧କୋଟି ୭୯ଲକ୍ଷ ୭୨ହଜାର ୭୨୭ଟଙ୍କା ଜୋରିମାନା ଦାଖଲ କରି ସାରିଥିବା ବେଳେ ଅବଶିଷ୍ଟ ଜୋରିମାନା ଅର୍ଥ ଆସନ୍ତା ଦେଢ଼ମାସ ମଧ୍ୟରେ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି ଏବଂ ପରବର୍ତ୍ତି ଶୁଣାଣୀ ଜୁଲାଇ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି।
ଲିଜ୍‍ଧାରୀ ଶିବତ୍ତ ଶର୍ମା ୨କୋଟି ୯୭ଲକ୍ଷ ୮୪ହଜାର ୨୯୯ଟଙ୍କା ଜୋରିମାନା ଦାଖଲ କରିବାକୁ ଥିବାବେଳେ ଲିଜ୍‍ଧାରୀ ବିପିଏମଇ ୨କୋଟି ଟଙ୍କା ଜୋରିମାନା ଅର୍ଥ ଦାଖଲ ପରେ ୮୭୧କୋଟି ୪୩ଲକ୍ଷ ୭୭ହଜାର ୩ଟଙ୍କା ବକେୟା ଜୋରିମାନା ଦାଖଲ ବାକି ରହିଛି। ଜିଲାପାଳ ଆଶିଷ ଠାକରେ ଉପସ୍ଥିତ ରହି ମାମଲାର ଶୁଣାଣୀ କରିଥିବା ବେଳେ ଖଣି ଉପନିର୍ଦ୍ଦେଶକ ଯୋଡା ଲକ୍ଷ୍ମୀଧର ନାଏକ, ଖଣି ଅଧିକାରୀ କେନ୍ଦୁଝର ଧୃବଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ଯୋଡା ଖଣିକ୍ଷେତ୍ର ଅଧିନ ୨୮ଟି ଖଣିର ୨୦ଜଣ ଲିଜ୍‍ଧାରୀ ୫୬୪୩କୋଟି ୭୧ଲକ୍ଷ ୯୯ହଜାର ୩୦ଟଙ୍କା ଜୋରିମାନା ଓ ୩୯୮କୋଟି ୨୬ଲକ୍ଷ ୪୦ହଜାର ୩୭୨ଟଙ୍କା ସୁଧକୁ ମିଶାଇ ମୋଟ୬୦୪୧କୋଟି ୯୮ଲକ୍ଷ ୩୯ହଜାର ୪୦୨ଟଙ୍କା ଏବଂ କେନ୍ଦୁଝର ଖଣିକ୍ଷେତ୍ର ଅଧିନ ୩ଟି ଖଣିର ୩ଜଣ ଖଣି ଲିଜ୍‍ଧାରୀଙ୍କ ଠାରୁ ଜୋରିମାନା ଓ ସୁଧ ଅର୍ଥ ମିଶାଇ ମୋଟ ୩୦୮ କୋଟି ୩୬ଲକ୍ଷ ୧୯ହଜାର ୫୪୦ଟଙ୍କା ଆଦାୟ ନେଇ ସମ୍ପୃକ୍ତ ଖଣି ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି କରାଯିବ ନାହିଁ ସେ ନେଇ ଓପିଡିଆର ଆକ୍ଟ-୧୯୬୨ ଅନୁଯାୟୀ ଜିଲାପାଳଙ୍କ କୋର୍ଟ ପକ୍ଷରୁ ନୋଟିସ୍‍ କରାଯାଇ ମାମଲାର ଶୁଣାଣୀ ପ୍ରକ୍ରିୟା ଜାରି ରହିଛି।

Comments are closed.