ବିଧାନସଭାରେ ଖଣି ଦୁର୍ନୀତି ତାତି : ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ଵର : ରାଜ୍ୟ ବିଧାନସଭାରେ ସୋମବାର ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧି ଓ ଶାସକ ଦଳ ମୁହାମୁହିଁ ହୋଇଛନ୍ତି। ଖଣି ଲିଜ୍‍ ପ୍ରଦାନ ଓ ନବୀକରଣରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିରୋଧିଦଳ ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଥିବା ବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଏହା ହୋଇଥିବା ଶାସକଦଳ ଦର୍ଶାଇଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଖଣି ମାଫିଆ ଓ ଅଫିସରମାନେ ମିଶି ଲକ୍ଷେ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଖଣି ଲିଜରେ ବଡ ଧରଣର ଦୁର୍ନୀତି ହୋଇଛି। ତେଣୁ ସରକାର ମୁଷ୍ଟିମେୟ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।  ଏ ସଂକ୍ରାନ୍ତରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରାପ୍ତିପତ୍ର ଆସୁନଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ। ଭିଜିଲାନ୍ସ ମାମଲା ହୋଇଥିବା ସିରାଜୁଦ୍ଦିନ କମ୍ପାନୀକୁ କିଭଳି ଲିଜ୍‍ ମିଳିଲା ବୋଲି ବିରୋଧିଦଳ ନେତା ପ୍ରଶ୍ନ କରିବା ସହିତ ରୁଙ୍ଗଟା ମାଇନ୍ସ ନାଁରେ ମଧ୍ୟ ଏମ୍‍ଏମ୍‍ଡିଆର ଆକ୍ଟ ଅନୁଯାୟୀ ମାମଲା ରହିଥିବା ଦର୍ଶାଇଥିଲେ। ତେଣୁ ଏମାନଙ୍କ ଖଣି କିଭଳି ନବୀକରଣ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଯେଉଁ ଅଧିକାରୀମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ନାୟକ ଦାବି କରିଥିଲେ।

ସେହିପରି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର,  ୯ଟି ଖଣିରେ ୩୬୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି କହିଥିଲେ। ଅନ୍ୟପକ୍ଷରେ  ବିରୋଧିଙ୍କ ଅଭିଯୋଗର ଜବାବ ଦେଇ ଗୃହ ବାହାରେ ବିଜେଡି ସାଂସଦ  ପ୍ରତାପ ଦେବ କହିଛନ୍ତି କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ଗାଇଡ୍‍ ଲାଇନ୍‍ ଅନୁଯାୟୀ ଖଣି ଲିଜ୍‍ ନବୀକରଣ ହୋଇଛି। ସିଇସି ତଦନ୍ତ ବେଳେ କଂଗ୍ରେସ କାହିଁକି ତଥ୍ୟ ରଖିନଥିଲା ବୋଲି ଶ୍ରୀ ଦେବ ପ୍ରଶ୍ନ କରିବା ସହିତ ଯଦି କିଛି ପ୍ରମାଣ ଅଛି ତାହା ବିରୋଧିଦଳ ଦିଅନ୍ତୁ ବୋଲି ସେ କହିଥିଲେ।

Comments are closed.