୮ ହାଜର ହେଲେ, ମହଲତ ଲୋଡ଼ିଲେ

0

କେନ୍ଦୁଝରଗଡ଼/କେନ୍ଦୁଝର : ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ କେନ୍ଦୁଝର ଜିଲାରେ ହୋଇଥବା ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତିର ଜରିମାନା ଦାଖଲ କରିନଥିବା ୩୧ଟି ଖଣିର ୨୩ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଶୁଣାଣି ଶନିବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୯ଜଣ ଲିଜ୍‍ଧାରୀଙ୍କ ଶୁଣାଣି ପାଇଁ ଜୁଲାଇ ୨୮ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ଜଣଙ୍କୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ୮ଟି ଖଣିର ପ୍ରତିନିଧି ଓକିଲଙ୍କ ଜରିଆରେ ହାଜର ହୋଇ ମହଲତ ଲୋଡିଥିବା ଜଣାପଡିଛି। ଶନିବାର ପୂର୍ବାହ୍ନରେ ଜିଲାପାଳ ଆଶିଷ ଠାକରେ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଖଣି ଉପନିର୍ଦ୍ଦେଶକ ଯୋଡା ସୁଶାନ୍ତ କୁମାର ନାୟକ ଓ ଖଣି ଅଧିକାରୀ କେନ୍ଦୁଝର ଧ୍ରୁବଚରଣ ସାହୁ ଆବେଦନକାରୀ ଭାବେ ଏବଂ ସରକାରୀ ଅଧିବକ୍ତା ଶ୍ରୁତିକାନ୍ତ ସାହୁ ଯୋଗଦେଇ ସହାୟତା କରିଥିଲେ। ପୁତୁଲୁପାଣିସ୍ଥିତ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଇଣ୍ଡଷ୍ଟ୍ରୀଜ୍‍, ନାରାୟଣୀ ସନ୍ସ, ବି.କେ.ମହାନ୍ତି, ମାଲା ରାୟ, ବିପିଏମ୍‍ଇ ଲିଃ, ଏସ୍‍.ଡି.ଶର୍ମା, ସାରଦା ମାଇନ୍ସ, ଏଚ୍‍.ଜି. ପାଣ୍ଡ୍ୟା ଖଣି ଲିଜ୍‍ଧାରୀଙ୍କ ପ୍ରତିନିଧି ଓକିଲଙ୍କ ଜରିଆରେ ହାଜର ହୋଇ ମହଲତ ଲୋଡିଥିବା ବେଳେ ଅନ୍ୟତମ ଖଣି ଲିଜ୍‍ଧାରୀ ବାସୁଦେବ ଅଗ୍ରୱାଲଙ୍କ ନିକଟରେ ମୃତ୍ୟୁ ହୋଇଥିବାରୁ ନୋଟିସ ଜାରି କରାଯାଇ ପାରିନଥିବାରୁ ଶନିବାର ମୋଟ ୮ଜଣଙ୍କ ଶୁଣାଣୀ ଆରମ୍ଭ ହୋଇଛି। ସାରଦା ମାଇନ୍ସ ପକ୍ଷରୁ ଅର୍ଜୁନ ସାରସ୍ୱତ ହାଜର ହୋଇ ଜରିମାନା ସମ୍ପର୍କିତ ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କ ଅଦାଲତରେ ବିଚାରାଧିନ ଥିବାରୁ ୮ସପ୍ତାହ ମହଲତ ଲୋଡିଥିଲେ। ସେହିଭଳି ନାରାୟଣୀ ସନ୍ସ କମ୍ପାନୀ ପକ୍ଷରୁ ଓକିଲ ପ୍ରତିନିଧିତ୍ୱ କରି ଜରିମାନା ଅର୍ଥ ପରିଶୋଧ ପାଇଁ କିଛି ସମୟ ଲୋଡିଥିବାରୁ ଅଗଷ୍ଟ ୨୫ରେ ଉକ୍ତ କମ୍ପାନୀର ପୁନଃ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
ଖଣି ଲିଜ୍‍ଧାରୀ ବାସୁଦେବ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ଉତ୍ତରାଧିକାରୀ ଚିହ୍ନଟ କରାଯାଇ ନୋଟିସ୍‍ ଜାରି କରିବାକୁ ଥିବାରୁ ଉକ୍ତ କମ୍ପାନୀର ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହାବାଦ୍‍ ପୁତୁଲୁପାଣିସ୍ଥିତ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଇଣ୍ଡଷ୍ଟ୍ରୀଜ୍‍, ବି.କେ.ମହାନ୍ତି, ମାଲା ରାୟ, ବିପିଏମ୍‍ଇ ଲିଃ, ଏସ୍‍.ଡି.ଶର୍ମା, ସାରଦା ମାଇନ୍ସ, ଏଚ୍‍.ଜି. ପାଣ୍ଡ୍ୟା ଖଣି ଲିଜ୍‍ଧାରୀଙ୍କ ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ହେବାକୁ ସ୍ଥିରୀକୃତ ହୋଇଛି। ତେବେ ସମ୍ପତ୍ତି ବାଜ୍ୟାପ୍ତି ଶୁଣାଣୀ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏସ୍‍.ସି.ପାଢ଼ୀ କମ୍ପାନୀ ପରିଚାଳିତ ବାଂଶପାଣିସ୍ଥିତ ଖଣିର ଜରିମାନା ବାବଦ ୧କୋଟି ୩୩ଲକ୍ଷ ୧୭ହଜାର ୯୧୦ଟଙ୍କା ଏବଂ ଗୁରୁବେଡାସ୍ଥିତ ଖଣି ବାବଦ ମୋଟ ୨୯କୋଟି ୭୨ଲକ୍ଷ ୨୧ହଜାର ୪୭୮ଟଙ୍କା ମଧ୍ୟରୁ ୩୦ଲକ୍ଷ ଟଙ୍କା ଖଣି ଉପନିର୍ଦ୍ଦେଶକ ଯୋଡାଙ୍କ ନିକଟରେ ଦାଖଲ କରିଥିବା ଜଣାପଡିଛି। ସେହିଭଳି ଖଣି ଲିଜ୍‍ଧାରୀ ମାଲା ରାୟଙ୍କ ନାମରେ ୨୪୦କୋଟି ୩୧ଲକ୍ଷ ୨ହଜାର ୮୩୭ଟଙ୍କା ଜରିମାନା ମଧ୍ୟରୁ ୧କୋଟି ଏବଂ ଦେଓଝରସ୍ଥିତ ଏମ୍‍.ଆର.ଦାସ ଖଣି ଲିଜ୍‍ଧାରୀଙ୍କ ନାମରେ ଥିବା ୩କୋଟି ୧୨ଲକ୍ଷ ୪୨ହଜାର ୧୧୦ଟଙ୍କା ଜରିମାନା ମଧ୍ୟରୁ ୧୭ଲକ୍ଷ ୬୬ହଜାର ୬୬୦ଟଙ୍କା ଖଣି ଉପନିର୍ଦ୍ଦେଶକ ଯୋଡାଙ୍କ ନିକଟରେ ଦାଖଲ କରିଥିବା ଜଣାପଡିଛି।
ଆସନ୍ତା ଅଗଷ୍ଟ ୪ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଏସ୍‍.ସି. ପାଢ଼ୀ, ମୋସ୍କୋ ଷ୍ଟିଲ, ଭଞ୍ଜ ମିନେରାଲ୍ସ, ଫେକର, ନାରାୟଣୀ ସନ୍ସ ପ୍ରାଃ.ଲିଃ, ମିନେରାଲ ଟ୍ରେଡିଙ୍ଗ ସିଣ୍ଡିକେଟ୍‍, ବି.ଡି. ପଟ୍ଟନାୟକ ଓ ଏସ୍‍.ଏନ୍‍.ଦାସମହାପାତ୍ରଙ୍କୁ ମିଶାଇ ମୋଟ ୮ଜଣ ଲିଜ୍‍ଧାରୀଙ୍କ ଏବଂ ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ ୧୮ତାରିଖ ଓଏମ୍‍ଡିସି ଠାକୁରାଣୀ, ଏମ୍‍.ଆର.ଦାସ, ଅର୍ଜୁନ ଲୋଧା, ବି.ସି ଦେବ, ଟି.ବି.ଲାଲ ଓ ଡ. ସରୋଜିନୀ ପ୍ରଧାନଙ୍କୁ ମିଶାଇ ମୋଟ ୬ଜଣ ଲିଜ୍‍ଧାରୀଙ୍କୁ ଶୁଣାଣୀ ପାଇଁ ନୋଟିସ୍‍ ଜାରି ହୋଇଛି। ସୂଚନାଯୋଗ୍ୟ ଯେ, ଯୋଡା ଖଣିକ୍ଷେତ୍ର ଅଧିନ ୨୮ଟି ଖଣିର ୨୦ଜଣ ଲିଜ୍‍ଧାରୀ ୫୬୪୩କୋଟି ୭୧ଲକ୍ଷ ୯୯ହଜାର ୩୦ଟଙ୍କା ଜରିମାନା ଓ ୩୯୮କୋଟି ୨୬ଲକ୍ଷ ୪୦ହଜାର ୩୭୨ଟଙ୍କା ସୁଧକୁ ମିଶାଇ ମୋଟ୬୦୪୧କୋଟି ୯୮ଲକ୍ଷ ୩୯ହଜାର ୪୦୨ଟଙ୍କା ଏବଂ କେନ୍ଦୁଝର ଖଣିକ୍ଷେତ୍ର ଅଧିନ ୩ଟି ଖଣିର ୩ଜଣ ଖଣି ଲିଜ୍‍ଧାରୀଙ୍କ ଠାରୁ ଜରିମାନା ଓ ସୁଧ ଅର୍ଥ ମିଶାଇ ମୋଟ ୩୦୮ କୋଟି ୩୬ଲକ୍ଷ ୧୯ହଜାର ୫୪୦ଟଙ୍କା ଆଦାୟ ନେଇ ସମ୍ପୃକ୍ତ ଖଣି ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି କରାଯିବ ନାହିଁ ସେ ନେଇ ଓପିଡିଆର ଆକ୍ଟ-୧୯୬୨ ଅନୁଯାୟୀ ଜିଲାପାଳ ନୋଟିସ୍‍ ଜାରି କରିଛନ୍ତି।

Leave A Reply