ମଧ୍ୟପ୍ରଦେଶର ୨ ଶ୍ରମିକ ହେଲେ କୋଟିପତି ; ଖଣିରୁ ପାଇଲେ ୨.୫୫ କୋଟିର ହୀରା

0

ଭୋପାଳ : ମଧ୍ୟପ୍ରଦେଶର ପନ୍ନା ଜିଲାରେ ଦୁଇ ଜଣ ଶ୍ରମିକ ନୂଆ ବର୍ଷ ପୂର୍ବରୁ କୋଟିପତି ହୋଇ ଯାଇଛନ୍ତି । ସେମାନଙ୍କ ଭାଗ୍ୟରେ ଏଭଳି ପରିବର୍ତ୍ତନ ଆସିବ ତାହା ସେମାନେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । ନୂଆବର୍ଷର ଉପହାର ରୂପେ ସେମାନଙ୍କୁ ୨.୫୫ କୋଟି ଟଙ୍କା ମିଳିଛି । ହୀରା ଖଣିରେ କାମ କରୁଥିବା ଶ୍ରମିକ ମୋତିଲାଲ ଓ ରଘୁବୀର ପ୍ରଜାପତିଙ୍କୁ ଦୁଇ ମାସ ପୂର୍ବରୁ ଏକ ବଡ ହୀରା ମିଳିଥିଲା। ଗତ ଶୁକ୍ରବାର ଦିନ ସେମାନେ ଏହି ହୀରାକୁ ନିଲାମ କରି ୨.୫୫ କୋଟି ଟଙ୍କା ପାଇଛନ୍ତି ।

ପନ୍ନାରେ ଆୟାଜିତ ନିଲାମୀରେ ଉତ୍ତରପ୍ରଦେଶର ଝାନ୍ସୀର ଗହଣା ବ୍ୟବସାୟୀ ରାହୁଲ ଜୈନ ଏବଂ ବିଏସପି ନେତା ଚରଣ ସିଂହ ପ୍ରତି କ୍ୟାରେଟ୍ ହିସାବରେ ଅଧିକ ୬ ଲକ୍ଷ ଟଙ୍କା ଲେଖାଏଁ ନିଲାମୀ ଡାକିଥିଲେ । ହୀରା ୪୨.୯ କ୍ୟାରେଟ୍ ଥିଲା । ଏହି ହିସାବରେ ହୀରାର ମୂଲ୍ୟ ପ୍ରାୟ ୨.୫୫ କୋଟି ଟଙ୍କା ହୋଇଥିଲା। କ୍ରେତା ତତ୍କାଳ ୨୦ ପ୍ରତିଶତ ଟଙ୍କା  ଦେଇଥିବା ବେଳେ ବକୟା ଟଙ୍କା ହୀରା ମିଳିବାର ଏକ ମାସ ମଧ୍ୟରେ ମିଳିବ ।

ଭାଗ୍ୟ ପରିବର୍ତ୍ତନ ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ପ୍ରଶାସନ ଠାରୁ ଲିଜ ନେଇ ଖଣି ଖୋଳି ଥାଆନ୍ତି । ହୀରା ମିଳିବା ପରେ ସେମାନେ ଜିଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା କରିନ୍ତି । ସେଠାରେ ହୀରାର ନିଲାମ କରାଯାଏ । ଚଳିତ ବର୍ଷ ଅକ୍ଟୋବର ୯ ତାରିଖଠାରୁ ଏପର୍ଯ୍ୟନ୍ତ ପନ୍ନା ଇତିହାସରେ ଏହା ସବୁଠାରୁ ବଡ ହୀରା ଥିଲା।

ଏହା ପୂର୍ବରୁ ୧୯୬୧ ମସିହାରେ ଖଣିରୁ ୪୪.୫୫ କ୍ୟାରେଟର ହୀରା  ମିଳିଥିଲା । ଶ୍ରମିକମାନେ ପଥର ଭାବି ଖଣିରୁ ତାହାକୁ ବାହାର କରିଥିଲେ ପରେ ତାହା  ହୀରା ବୋଲି ଜଣାପଡିଥିଲା ।

Leave A Reply