ଖଣିଜପଦାର୍ଥ ନିୟନ୍ତ୍ରଣ ସଂଶୋଧନ ବିଲ୍‍ ୨୦୨୧ ଲୋକସଭାରେ ଆଗତ

ଜାତୀୟ ଖାଦ୍ୟ ବୈଷୟିକଜ୍ଞାନ, ଉଦ୍ୟୋଗପତି ବିକାଶ ଓ ପରିଚାଳନା ପ୍ରତିଷ୍ଠାନ ବିଲ୍‍ ୨୦୧୯ ଆଜି ରାଜ୍ୟସଭାରେ ପାଶ୍‍ ହୋଇଛି। ଏହି ବିଲ୍‍ ଅନୁସାରେ ଖାଦ୍ୟ ବୈଷୟିକଜ୍ଞାନ, ଉଦ୍ୟୋଗପତି ବିକାଶ ଓ ପରିଚାଳନା କ୍ଷେତ୍ରର କିଛି ପ୍ରତିଷ୍ଠାନ ଜାତୀୟସ୍ତରୀୟ ପ୍ରତିଷ୍ଠାନର ମାନ୍ୟତା ଲାଭ କରିବ। ଏଗୁଡ଼ିକ ମଧ୍ୟରେ କୁଣ୍ଡଲୀର ଜାତୀୟ ଖାଦ୍ୟ ବୈଷୟିକଜ୍ଞାନ, ଉଦ୍ୟୋଗପତି ବିକାଶ ଓ ପରିଚାଳନା ପ୍ରତିଷ୍ଠାନ ଓ ତାଞ୍ଜାବୁରର ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ବୈଷୟିକଜ୍ଞାନ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। ଏହି ବିଲ୍‍ ସେହି ଅନୁଷ୍ଠାନଗୁଡ଼ିକୁ ଗବେଷଣା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତା ପ୍ରଦାନ କରିବ। ବିଲ୍‍ ଅନୁସାରେ ଏକ ପ୍ରଶାସକ ମଣ୍ଡଳୀ ଗଠନ କରାଯିବ।

ବିଲ୍‍ ସଂକ୍ରାନ୍ତ ଏକ ସ୍ୱଳ୍ପକାଳୀନ ଆଲୋଚନାରେ ଅଂଶଗ୍ରହଣ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଏହି ଦୁଇ ଅନୁଷ୍ଠାନର ବିକାଶ ଛାତ୍ରଛାତ୍ରୀମାନଙ୍କୁ ଆତ୍କୃଷ୍ଟ କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜୀବିକା ନିର୍ବାହନର ପନ୍ଥା ଯୋଗାଇ ପାରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ତାଛଡ଼ା ଏହାଦ୍ୱାରା ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ। ଦୁଇଟିଯାକ ଅନୁଷ୍ଠାନରେ ସଂରକ୍ଷଣ ନୀତି ଲାଗୁ କରାଯିବା ବିଷୟ ମନ୍ତ୍ରୀ କହିଛନ୍ତି।

ଖଣି ଓ ଖଣିଜପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍‍ ୨୦୨୧ ଆଜି ଲୋକସଭାରେ ଆଗତ ହୋଇଛି। କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବିଲ୍‍କୁ ଉପସ୍ଥାପନ କରିଛନ୍ତି। ଏହି ବିଲରେ କାପ୍ଟିଭ ଖଣି ଓ ମର୍ଚାଣ୍ଟ ଖଣି ମଧ୍ୟରେ ଥିବା ତାରତମ୍ୟକୁ ଦୂର କରାଯିବାର ବ୍ୟବସ୍ଥା ରହିଛି। ଯଦି ଏକ କମ୍ପାନୀ ନିଜର ଉତ୍ପାଦିତ ଖଣିଜ ପଦାର୍ଥକୁ ନିଜ ପାଇଁ ବ୍ୟବହାର କରେ ତାହେଲେ ଏହା କାପ୍ଟିଭ ଖଣି କୁହାଯାଏ। ଅନ୍ୟ ପକ୍ଷରେ ଯଦି ଏକ କମ୍ପାନୀ ନିଜର ଉତ୍ପାଦିତ ଖଣିଜ ପଦାର୍ଥକୁ ଅନ୍ୟତ୍ର ବିକ୍ରୟ କରେ ତାହେଲେ ଏହା ମର୍ଚାଣ୍ଟ ଖଣି କୁହାଯାଏ। ଏହି ବିଲ୍‍ ଅନୁସାରେ ଡିଷ୍ଟ୍ରିକ୍ଟ ମିନେରାଲ୍‍ ଫାଉଣ୍ଡେସନ୍‍ ଦ୍ୱାରା ପାଣ୍ଠିର ବ୍ୟବହାର ସଂକ୍ରାନ୍ତରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇପାରିବେ। ଏହି ବିଲ୍‍ ଯୋଗୁଁ ଖଣିଜ ପଦାର୍ଥର ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରିବ ଓ ନିଯୁକ୍ତି ସୃଷ୍ଟି ହେବା ସହ ଖଣି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ।

Comments are closed.