ପାକିସ୍ତାନରେ ସାମରିକ ଶାସନ ଆସନ୍ନ

ବ୍ୟାବସାୟିକ ନେତା, ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ସେନାମୁଖ୍ୟ ବାଜୱାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

-ବୈଠକରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅନୁପସ୍ଥିତ,-ସେନା ଅଧିକାରୀ ଓ ସୈନିକଙ୍କ ଛୁଟି ବାତିଲ

ରାୱଲପିଣ୍ଡି :  ଇମ୍ରାନ ଖାଁଙ୍କ ନେତୃତ୍ବ ପାକିସ୍ତାନ ସରକାର ବିରୋଧରେ ସେନାର ଷଡଯନ୍ତ୍ର ଆରମ୍ଭ ହୋଇଛି। ଇମ୍ରାନଙ୍କୁ କ୍ଷମତାରୁ ବିତାଡିତ କରି ସେନାମୁଖ୍ୟ କ୍ବାମାର ଜାଭେଦ ବାଜୱା କ୍ଷମତା ଦଖଲ ଉଦ୍ୟମ କରିଛନ୍ତି। ବୁଧବାର ସେନାମୁଖ୍ୟ ଦେଶର ପ୍ରମୁଖ ବ୍ୟାବସାୟିକ ନେତା ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଦେଶର ଅର୍ଥନୀତି ସମ୍ପର୍କିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଇମ୍ରାନ ଅନୁପସ୍ଥିତ ଥିଲେ। ତାଙ୍କୁ ଏହି ବୈଠକକୁ ଡକାଯାଇ ନଥିଲା। ଏହାର ଦିନକ ପରେ ଗୁରୁବାର ସେନାମୁଖ୍ୟ ଦେଶର ୧୧୧ତମ ପଦାତିକ ବାହିନୀର ସମସ୍ତ ଅଫିସର ଓ ସୈନିକଙ୍କର ଛୁଟି ବାତିଲ କରିଛନ୍ତି। ୧୧୧ତମ ପଦାତିକ ବାହିନୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବ ନିର୍ବାହ କରିଥାନ୍ତି। ଅତୀତରେ ପାକିସ୍ତାନରେ ହୋଇଥିବା ସାମରିକ ବିଦ୍ରୋହରେ ଏହି ପଦାତିକ ବାହିନୀ ସକ୍ରିୟ ଭୂମିକା ନିର୍ବାହ କରିଥିଲା। ୧୯୫୮, ୧୯୬୯, ୧୯୭୭ ଓ ୧୯୯୯ରେ ପାକିସ୍ତାନରେ ସାମରିକ ବିଦ୍ରୋହ ହୋଇଥିଲା। ଏହି ବିଦ୍ରୋହରେ ସେନା ଦେଶର ନିର୍ବାଚିତ ସରକାରକୁ ବିତାଡିତ କରି କ୍ଷମତା ଦଖଲ କରିଥିଲା। ରାୱଲପିଣ୍ଡିସ୍ଥିତ ସେନା ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକ ପାକିସ୍ତାନରେ ସାମରିକ ଶାସନ ଆସନ୍ନର ଆଶଙ୍କା ସୃଷ୍ଟି କରିଛି।
୨୦୧୮ ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ନେତୃତ୍ବ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ସେନାର ପୂର୍ଣ୍ଣ ସହଯୋଗ ପାଇଥିଲା। ପରବର୍ତ୍ତୀ ସମୟରେ ଇମ୍ରାନ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ବିଗତ କିଛି ମାସ ହେଲା ଇମ୍ରାନ ସେନାର ସମର୍ଥନ ହରାଇବାରେ ଲାଗିଛନ୍ତି। ଏହା ସହିତ ଭାରତ ବିରୋଧରେ ପାକିସ୍ତାନ ସେନାର ଦୃଢ ଆଭିମୁଖ୍ୟକୁ ଆନ୍ତର୍ଜାତିକସ୍ତରରେ ଉପସ୍ଥାପନ କରିବାରେ ଇମ୍ରାନ ବିଫଳ ହୋଇଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ପାକିସ୍ତାନର ଆର୍ଥିକ ମାନ୍ଦାବସ୍ଥା ଓ ଆନ୍ତର୍ଜାତିକସ୍ତରରେ ଭାରତ ବିରୋଧୀ ସମର୍ଥନ ପାଇବାରେ ପାକିସ୍ତାନର ବିଫଳତା ପାଇଁ ଇମ୍ରାନଙ୍କୁ ଦାୟୀ କରାଯାଇଛି; ଫଳରେ ସେନା ଏବେ ସରକାର ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବାକୁ ଉଦ୍ୟମ କରିଛି। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର କହିବା ଅନୁଯାୟୀ ସେନାମୁଖ୍ୟ ବାଜୱା ଦେଶର ବ୍ୟାବସାୟିକ ନେତାଙ୍କ ସହିତ ଆର୍ଥିକସ୍ଥିତି ବାବଦରେ ଆଲୋଚନା କରିଛନ୍ତି। ସେନାମୁଖ୍ୟ କହିଛନ୍ତି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି ପାଇଛି; ତେଣୁ ଆର୍ଥିକ କାରବାର ପାଇଁ ପରିସ୍ଥିତି ଅନୁକୂଳ ରହିଛି। ସମ୍ପ୍ରତି ଆର୍ଥିକ ଦୁରବସ୍ଥାର ସମ୍ମୁଖୀନ ହୋଇଥିବା ପାକିସ୍ତାନ ପାଣ୍ଠି ଯୋଗାଣ ନିମନ୍ତେ ଚୀନ, ସାଉଦି ଆରବକୁ ନିବେଦନ କରିଛି। ଏହା ସହିତ ଆତଙ୍କବାଦୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳତା ପାଇଁ ପାକିସ୍ତାନ ଏଫଏଟିଏଫ କଟକଣାର ସମ୍ମୁଖୀନ ହୋଇଛି।

Comments are closed.