‘ସମାଜ’ ପ୍ରଭାବ: ୫ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ଚାରିଛକ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକଠାରେ ଥିବା ଦୁଗ୍ଧ ଶୀତଳିକରଣ ପ୍ଲାଣ୍ଟ ଦୀର୍ଘ ୫ବର୍ଷ ପରେ ପୁନଃ କାର୍ଯ୍ୟକ୍ଷମ ହେବାକୁଯାଉଛି। ଏ ନେଇ ଗତ ୫ତାରିଖରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦୁଗ୍ଧ ସମବାୟ ସମିତି ପୁର୍ନଗଠନ ଏବଂ ସମ୍ପ୍ରସାରଣ ବୈଠକ ଅନୁଷ୍ଠିତ ପରେ ବନ୍ଦ ହୋଇପଡ଼ିଥିବା ଦୁଗ୍ଧଶୀତଳିକରଣ ପ୍ଲାଣ୍ଟ ପୁନଃ ଶୁଭାରମ୍ଭ ପାଇଁ ବାଟ ଖୋଲିଛି। ଯାହାକି ଜିଲାର ୩ବ୍ଲକର ଶହ ଶହ ଦୁଗ୍ଧଚାଷୀଙ୍କ ପାଇଁ କରୋନା ଭଳି କଠିନ ସମୟରେ ଏକ ଖୁସି ଖବର ଆଣିଛି। ଦୁଗ୍ଧ ପ୍ଲାଣ୍ଟ ବନ୍ଦ ସଂର୍ପକୀତ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲାରେ ରହିଥିବା ୪ପ୍ଲାଣ୍ଟରୁ ବନ୍ଦ ହୋଇପଡ଼ିଥିବା ୩ପ୍ଲାଣ୍ଟ ପୁନଃକାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରକାଶ ଯେ ବୌଦ୍ଧଭଳି କୃଷିପ୍ରଧାନ ଜିଲାରେ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୫ବର୍ଷତଳେ ଅର୍ଥାତ୍‍ ଡିସେମ୍ବର ୧୯୯୫ରେ ଜିଲାରେ ହରଭଙ୍ଗା ବ୍ଲକ ଚାରିଛକଠାରେ ପ୍ରଥମକରି ଏକ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ଆରମ୍ଭ ହୋଇଥିଲା। ଏହାଦ୍ୱାରା ବ୍ଲକର ବିଭିନ୍ନ ଗ୍ରାମରୁ ସୋସାଇଟି ଜରିଆରେ କଞ୍ଚା କ୍ଷୀର କିଣାଯାଇ ତାକୁ ଶୀତଳୀକରଣ କରାଯାଇ ବାହାର ଜିଲାକୁ ପଠାଯାଉଥିଲା। ଫଳରେ କ୍ଷୀର ବିକ୍ରୀ କରି ଚାଷୀ ଦୁଇ ପଇସା ରୋଜଗାର କରିବା ସହିତ ଗାଈ, ମଇଁଷି ପାଳନ ପାଇଁ ଚାଷୀଙ୍କ ଆଗ୍ରହ ବୃଦ୍ଧି ଘଟୁଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ୨୦୦୫ରେ ମନମୁଣ୍ଡା ପରେ କଣ୍ଟାମାଳ ଶେଷରେ ବୌଦ୍ଧରେ ମଧ୍ୟ ଆଉ ୩ଟି ପ୍ଲାଣ୍ଟ ନିର୍ମାଣ କରାଯାଇ ଦୁଗ୍ଧ ଉତ୍ପାଦନରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ମାତ୍ର ଚାରିଛକ ପ୍ଲାଣ୍ଟ ଦୀର୍ଘ ଆଠରୁ ଦଶବର୍ଷ ଚାଲିବାପରେ କଞ୍ଚାକ୍ଷୀର ଚାହିଦା ଅନୁସାରେ ନ ମିଳିବାରୁ ଦୀର୍ଘ ୫ବର୍ଷହେଲା ପ୍ଲାଣ୍ଟରେ ତାଲା ଝୁଲୁଥିଲା। ସେହିପରି କଣ୍ଟାମାଳ, ବୌଦ୍ଧ ପ୍ଲାଣ୍ଟ ବନ୍ଦ ହୋଇପଡ଼ିଥିବାବେଳେ ଜିଲାର ଏକମାତ୍ର ମନମୁଣ୍ଡା ପ୍ଲାଣ୍ଟ କେବଳ କାର୍ଯ୍ୟକାରୀ ହେଉଥିଲା। ବିଳମ୍ବରେ ହେଉ ପଛେ ଜିଲାପାଳ ଏହାଉପରେ ଗୁରତ୍ୱାରୋପ କରିବା ସହିତ ପୁନଃ ସମସ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ପାଇଁ ୨୯ଟି ଦୁଗ୍ଧ ସମବାୟ ସମିତି ଗଠନ କରାଯିବାକୁ ଖସଡା ପ୍ରସ୍ତୁତ ହୋଇଛି। ହରଭଙ୍ଗା ବ୍ଲକ ପାଇଁ ୧୨ଟି ଦୁଗ୍ଧ ସମବାୟ ସମିତି ଗଠନ କରାଯିବାକୁ ସ୍ଥିରିକୃତ ହୋଇଛି। ଫଳରେ ବ୍ଲକରେ ୫ଶହ ଦୁଗ୍ଧଚାଷୀ ଏଥିରୁ ଉପକୃତ ହେବେ ବୋଲି ସୂଚନା ମିଳିଛି।

Comments
Loading...