ଉହାନ୍‍ ଲାବୋରେଟୋରୀରେ ଚାଲିଛି ସାମରିକ ଗବେଷଣା- ମାଇକ ପମ୍ପିଓ

ୱାଶିଂଟନ: କୋଭିଡ-୧୯ ମହାମାରୀକୁ ନେଇ ଚୀନର ଉହାନ୍‍ ଲାବୋରେଟୋରୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥିବାବେଳେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଏହି ଲାବୋରେଟୋରୀକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଯାହା ଉକ୍ତ ଲାବୋରେଟୋରୀରେ କୋଭିଡ-୧୯ ଭୂତାଣୁ ସୃଷ୍ଟି ଆଶଙ୍କାକୁ ଦୃଢିଭୁତ କରୁଛି। ପମ୍ପିଓ କହିଛନ୍ତି, ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଡବ୍ଲୁଆଇଭି) ବେସାମରିକ ଗବେଷଣା ସହିତ ସାମରିକ ଗବେଷଣାରେ ମଧ୍ୟ ନିୟୋଜିତ ଥିଲା। ଚୀନର ପିପୁଲ୍ସ ଲିବରେସନ ଆର୍ମି ପାଇଁ ଉକ୍ତ ଲାବୋରେଟୋରୀରେ ଗବେଷଣା ଚାଲିଥିବା ନେଇ ସେ ନିଶ୍ଚିତ। ତେଣୁ ଚୀନ ଯାହା କହୁଛି ଯେ ସେମାନେ କେବଳ ବେସାମରିକ ଏବଂ ଜନସମାଜ ମଙ୍ଗଳ ପାଇଁ ଗବେଷଣା କରୁଛିନ୍ତି, ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ।
ପମ୍ପିଓ ଏହା ମଧ୍ୟ କହିଛନ୍ତି ଯେ ଉକ୍ତ ଲାବୋରେଟୋରୀରେ କି ପ୍ରକାର ଗବେଷଣା ଚାଲିଛି ତାହା ଚୀନ କର୍ତ୍ତୃପକ୍ଷ କହିବାକୁ ମନା କରିଦେଇଛନ୍ତି। ସାମରିକ ହେଉ ଅଥବା ବେସାମରିକ, ଉଭୟକୁ ନେଇ ଚାଲିଥିବା ଗବେଷଣାର ଆଧାର ମଧ୍ୟ ସେମାନେ କହିବାକୁ ମନା କରୁଛନ୍ତି। ଏପରିକି ସେମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିନିଧି ଦଳକୁ ମଧ୍ୟ ସେଠାକୁ ଯିବାପାଇଁ ଅନୁମତି ଦେଇନାହାନ୍ତି।
ଅଷ୍ଟ୍ରେଲିଆର ସ୍କାଏ ନ୍ୟୁଜର ଉପସ୍ଥାପକ ଆଣ୍ଡ୍ର୍ୟୁ ବୋଲ୍ଟ ମଇ ମାସ ୨୬ ତାରିଖରେ ଫ୍ଲିଣ୍ଡର୍ସ ମେଡିକାଲ ସେଣ୍ଟରର ଏଣ୍ଡୋକ୍ରିନୋଲୋଜି ବିଭାଗର ଡାଇରେକ୍ଟର ପ୍ରଫେସର ନିକୋଲାଇ ପେତ୍ରୋଭସ୍କିଙ୍କ ସହିତ କଥା ହୋଇଥିଲେ। ଉକ୍ତ ସୋ’ରେ ନିକୋଲାଇ କହିଥିଲେ ଯେ ଚୀନ ବିଶ୍ୱର ବୈଜ୍ଞାନିକ ସମୁଦାୟଙ୍କୁ ଭୂଆଁ ବୁଲାଉଛି। ଅନେକ ବିଶେଷଜ୍ଞ ଏବେ ମନେ କରୁଛନ୍ତି ଯେ ଚୀନର ଉକ୍ତ ଲାବୋରେଟୋରୀରୁ କୋଭିଡ-୧୯ ଭୁତାଣୁ ବାହାରକୁ ଆସିଛି ଏବଂ ତାହାକୁ ନେଇ ଚୀନ ହରଡଘଣାରେ ପଡିଯାଇଛି। ଏଭଳି ଏକ ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଇତିମଧ୍ୟରେ କୋଭିଡ-୧୯ ଭୁତାଣୁ ପ୍ରାଣୀଙ୍କ ଠାରୁ ଆସିଛି ଅଥବା ଉହାନ ଲାବୋରେଟୋରୀରୁ ସୃଷ୍ଟି ହୋଇଛି, ସେ ସମ୍ପର୍କରେ ଟିକିନିଖି ତଦନ୍ତ କରି ତିନିମାସ ମଧ୍ୟରେ ତାଙ୍କୁ ରିପୋର୍ଟ ଦେବାକୁ ତାଙ୍କ ଦେଶର ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇସାରିଛନ୍ତି।

Comments are closed.