ଲୁହରେ ଭିଜାଇବ ‘ଭିଜା ମାଟିର ସ୍ବର୍ଗ’

ଭୁୁବନେଶ୍ୱର: ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଅକାଳ ବିୟୋଗରେ କେବଳ ଓଲିଉଡ କାହିଁକି ସ୍ତବ୍ଧ ହୋଇଯାଇଛି କଳାଜଗତ। ମନୋରଞ୍ଜନ ଶିଳ୍ପ ଯେପରି ମୁରବୀ ବିହୀନ ହୋଇପଡ଼ିଛି। ଏତିକିବେଳେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପ୍ରୟାସ। ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପକ୍ଷରୁ ତାଙ୍କ ଅଭିନୀତ ଅନ୍ୟ ଏକ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜାମାଟିର ସ୍ବର୍ଗ’ ଗୁରୁବାର ପ୍ରଦର୍ଶନ ଆରମ୍ଭ କରିଛି। ଯାହାକି ଖ୍ୟାତିସମ୍ପନ୍ନ ନିର୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ରଙ୍କ ବଳିଷ୍ଠ ଓ ଅନ୍ତିମ କୃତୀ। ଏଥିରେ ଶୀର୍ଷକ ଭୂମିକାରେ ଅଭିନୟ କରିଛନ୍ତି ମିହିର। ଯାହା ତାଙ୍କ ଅଭିନୟ କ୍ୟାରିୟରର ଏକ ଅନନ୍ୟ ଚିତ୍ର କହିଲେ ଅତ୍ୟୁକ୍ତି ହେବନାହିଁ।

‘ଭିଜା ମାଟିର ସ୍ବର୍ଗ’ ଉଭୟ ଜାତୀୟ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ଏହାର କାହାଣୀ ମଧ୍ୟ ଗାଁକୁ ନେଇ ଜୀବନ୍ତ ଆଉ ସମୃଦ୍ଧ। ଏକ ମଫସଲ ଗାଁରେ ରହନ୍ତି ରଘୁ। ତାଙ୍କ ଆଶା ବେଙ୍ଗାଲୁରୁରେ ରହୁଥିବା ପୁଅ, ବୋହୂ ଓ ନାତି କେବେ କେବେ ଆସି ଗାଁରେ ରହନ୍ତେ। ପୁଣି ସେଇ ଗାଁରେ ରହୁଥିବା ଶକୁନ୍ତଳାର ଆ‌ଶା ତାଙ୍କ ପୁଅ ଚାକିରିଟିଏ ପାଆନ୍ତା। ରଘୁଙ୍କ ‘ଆଶା’ ଆଉ ଶକୁନ୍ତଳାଙ୍କ ‘ସ୍ବପ୍ନ’। ନା କାହାର ଆଶା ପୂରଣ ହୁଏ ନା କାହାର ସ୍ବପ୍ନ ସାକାର ହୁଏ। ଦର୍ଶକ ଏହି ଚଳଚ୍ଚିତ୍ର କାହାଣୀରେ ଥିବା ମନସ୍ତାତ୍ତ୍ବିକ ମାୟାରେ ଛନ୍ଦି ହେଇଯାଉଛନ୍ତି। ବିଡ଼ମ୍ବନା ହେଉଛି ରଘୁଙ୍କ ଆଶା ଶେଷ ପର୍ଯ୍ୟନ୍ତ ଅଧୁରା ହେଇ ରହେ। ମୃତ୍ୟୁ ପରେ ବି ନିଜ ପୁଅ ତାଙ୍କୁ ମୁଖାଗ୍ନି ଦେବାକୁ ଆସିପାରେ ନାହିଁ।

‘ଭିଜା ମାଟିର ସ୍ବର୍ଗ’ର କାହାଣୀ ସରଳ ଓ ସହଜ ମାତ୍ର ଏଥିରେ ଥିବା ସଂଳାପ ବେଶ୍‌ ସଶକ୍ତ। ଏଥିରେ ଦୁଇ ଚରିତ୍ର ରଘୁ (ମିହିର) ଓ ସ୍ମିତା (ଗାର୍ଗୀ)ଙ୍କ ଅଭିନୟରେ ସଂଳାପ ତୁଳନାରେ ଭାବନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଉଭୟ ନିର୍ଦେଶକ ଏବଂ ମୁଖ୍ୟ କଳାକାର ଆଜି ଆମ ଗହଣରେ ସଶରୀରେ ନାହାନ୍ତି, ମାତ୍ର ଉଭୟଙ୍କ କଳାକାର ଜୀବନର ଶେଷ ନିଷ୍କର୍ଷ ଦେଖିବାର ସୁଯୋଗ ସୃଷ୍ଟି କରିଛି ‘କଞ୍ଚାଲଙ୍କା’ ଓଟିଟି ପ୍ଲାଟଫର୍ମ। ଦୁଇ ଆତ୍ମାଙ୍କୁ ଏହା ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି।

Comments are closed.