ଦେଶାନ୍ତରିତ ପ୍ରାଣୀଙ୍କ ସଂରକ୍ଷଣ ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶାନ୍ତରିତ ହୋଇ ଆସୁଥିବା ପ୍ରାଣୀଙ୍କର ସଂରକ୍ଷଣ ପ୍ରତି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଦେଶାନ୍ତରିତ ବନ୍ୟଜନ୍ତୁ ପ୍ରଜାତିଗୁଡ଼ିର ସୁରକ୍ଷାରେ ସଂଶ୍ଳିଷ୍ଟ ଦେଶ ସମୂହଙ୍କ ସହଯୋଗରେ ଭାରତ ସଂରକ୍ଷଣ, ସ୍ଥାୟୀ ଜୀବନ ଶୈଳୀ ଓ ପରିବେଶ ଅନୁକୂଳ ମଡେଲ ଭିତ୍ତିରେ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ଗୁଜରାଟର ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରଠାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏ ସଂକ୍ରାନ୍ତ ତ୍ରୟୋଦଶ ସମ୍ମିଳନୀକୁ ଉଦ୍‍ଘାଟନ କରି ମୋଦୀ ଏହା କହିଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଜଙ୍ଗଲାଞ୍ଚଳ ଏବଂ ପ୍ରାଣୀ ସମ୍ପଦ ବୃଦ୍ଧିରେ ଅଦ୍ଭୁତପୂର୍ବ ସଫଳତା ମିଳିଛି।

ସେ କହିଛନ୍ତି, ଦେଶରେ ବାଘସଂଖ୍ୟା ୨୦୧୦ରେ ୧ହଜାର ୪୧୧ ଥିବା ବେଳେ ଏବେ ଏହା ଦ୍ୱିଗୁଣିତ ହୋଇ ୨ହଜାର ୯୬୭ରେ ପହଞ୍ଚିଛି। ସେ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ସାମୁଦ୍ରିକ କଇଁଛ ସୁରକ୍ଷା ନୀତି ଏବଂ ସାମୁଦ୍ରିକ ଅଞ୍ଚଳ ପରିଚାଳନା ନିୟମ ପ୍ରଚଳନ କରାଯିବ। ଏହି ସମ୍ମିଳନୀରେ ୨୩୦ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି।

Comments are closed.