ଓଡ଼ିଶାରେ କାର୍ଯ୍ୟରତ ୩୬ ଜଣ ପ୍ରବାସୀ ଗଲେ  ମିଜୋରାମ ଓ ମଣିପୁର

ଭୁବନେଶ୍ୱର: ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାରେ କାର୍ଯ୍ୟରତ ମିଜୋରାମ୍‌ ଓ ମଣିପୁରର ୩୬ଜଣ ପ୍ରବାସୀ ନିଜ ରାଜ୍ୟକୁ ଫେରି ପାରୁନ ଥିଲେ। ଆଜି ଅପରାହ୍ଣରେ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୨୩ ଜଣ ମିଜୋରାମକୁ ଏବଂ ୧୩ ଜଣ ମଣିପୁରକୁ ଯାଇଛନ୍ତି। ଓଡ଼ିଶା ସରକାରଙ୍କ ଶ୍ରମ ଆୟୁକ୍ତ ଡ. ଏନ୍‌. ତିରୁମଲ୍ଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ୩୬ ଜଣ ପ୍ରବାସୀଙ୍କୁ ଭୁବନେଶ୍ୱରରୁ ବସ୍‌ ଯୋଗେ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶ କ୍ରମେ ଶ୍ରମ ଆୟୁକ୍ତ ଡ. ନାୟକ ମଣିପୁର ଓ ମିଜୋରାମ୍‌ର ପ୍ରବାସୀମାନଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯିବା ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ନିଜ ରାଜ୍ୟକୁ ଫେରି ପାରିଥିବା କାର୍ଯ୍ୟରତ ଏହି ପ୍ରବାସୀ ଓଡ଼ିଶା ସରକାର ତଥା ରାଜ୍ୟ ଶ୍ରମ ବିଭାଗକୁ ପ୍ରଶଂସା କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ ସମେତ ଯୁଗ୍ମ ଶାସନ ସଚିବ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରବାସୀମାନଙ୍କ ମିଜୋରାମ ଓ ମଣିପୁର ଗସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

Comments are closed.