ଦେଶକୁ କରୋନା ଦେଖାଇଛି ଦାଦନ ଆଇନା: କେନ୍ଦ୍ରର ୧୧୬ ଜିଲା ସୂଚୀରେ ଓଡ଼ିଶାର ୪

ନୂଆଦିଲ୍ଲୀ : ଲକ୍ଡ଼ାଉନ ଦେଶକୁ ଦେଖାଇଛି ଦାଦନ ଆଇନା ।  ଦାଦନର ଜୀବନ କେତେ ଦୁର୍ବିସହ ଓ ପ୍ରବାସ କେତେ ଭୟଙ୍କର ତାହା ଉପରୁ ପଦରା ଖୋଲି ଦେଇଛି ଲକ୍ଡ଼ାଉନ । ଏଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ନୂଆ ରଣନୀତି । ଦାଦନ ପ୍ରବଣ ଜିଲାଗୁଡ଼ିକରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୬ ରାଜ୍ୟର ୧୧୬ ଜିଲାକୁ ଏଥିଲାଗି ଚିହ୍ନଟ କରାଯାଇଛି । ଏହାମଧ୍ୟରେ ଓଡ଼ିଶାର ରହିଛି ୪ଟି ଜିଲା।  ବିହାରର ୩୨ ଜିଲ୍ଲା ଏଥିରେ ସ୍ଥାନ ପାଇଛି । ସେହିପରି  ଉତ୍ତରପ୍ରଦେଶର ୩୧, ମଧ୍ୟପ୍ରଦେଶର ୨୪, ରାଜସ୍ଥାନର ୨୨, ଝାଡ଼ଖଣ୍ଡର ୩ ଜିଲା ଏଥିରେ ସଂଲଗ୍ନ ରହିଛି । ଏଥିରେ ଓଡ଼ିଶାର କେଉଁକେଉଁ ଜିଲା ସାମିଲ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଏ ସମ୍ପର୍କରେ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ଏବଂ ଏହାପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

କରୋନାଜନିତ ଲକ୍ଡ଼ାଉନ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଦେଶର କୋଟିକୋଟି ଲୋକ । ପ୍ରବାସରେ ଶ୍ରମିକ ଭାବରେ କାମ କରୁଥିବା ଏହି ଲୋକମାନଙ୍କ ନିମନ୍ତେ ଲକ୍ଡ଼ାଉନ ସବୁଠାରୁ କଷ୍ଟପ୍ରଦ ହୋଇଛି । ଲକ୍ଷଲକ୍ଷ ଲୋକ ଚାଲିଚାଲି ନିଜ ଗାଁ ଭିଟାମାଟିକୁ ଫେରିଛନ୍ତି । ରାସ୍ତାରେ ଯିବାବେଳେ ଶତାଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ହୋଇଛି । ତେବେ ପ୍ରଭାବିତ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଦୀର୍ଘମିଆଦୀ ଯୋଜନା । ଲକଡାଉନରେ ରାଜ୍ୟ ଓ ଗାଁକୁ ଫେରିଥିବା କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ପୁର୍ନବାସ ଓ ରୋଜଗାର ପାଇଁ ସରକାର ନକ୍ସା ପ୍ରସ୍ତୁତ କରିଛନ୍ତି  ୬ ରାଜ୍ୟର ୧୧୬ ଜିଲ୍ଲାରେ ସାମାଜିକ କଲ୍ୟାଣ ଓ ଡାଇରେକ୍ଟ ବେନିଫିଟ୍ ସ୍କିମ୍ (ଡିବିଟି)କୁ ସରକାର ମିଶନ ମୋଡରେ ପରିଚାଳନା କରିବେ । ଏହାଦ୍ୱାରା ଘରକୁ ଫେରିଥିବା ପ୍ରବାସୀଙ୍କୁ ଜୀବିକା, ରୋଜଗାର, କୌଶଳ ବିକାଶ ଓ ଗରିବ କଲ୍ୟାଣ ସୁବିଧାର ଲାଭ ସୁନିଶ୍ଚିତ କରାଯାଇ ପାରିବ । ଏହି ସବୁ ଜିଲ୍ଲାରେ ମନରେଗା, ସ୍କିଲ୍ ଇଣ୍ଡିଆ, ଜନଧନ ଯୋଜନା, କିଷାନ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଏମ୍ ଆବାସ ଯୋଜନା ସମେତ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ମିଶନ ମୋଡରେ କାମ ହେବ ।

 

 

Comments are closed.