ରାଜ୍ୟ ଓ ଜିଲା ସୀମା ସିଲ୍‍ କରିବାକୁ କେନ୍ଦ୍ରର ନିର୍ଦେଶ

ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ଗାଁକୁ କରୋନା ବ୍ୟାପିବା ଆଶଙ୍କା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଜାରି ସତ୍ତ୍ବେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ସହର ଛାଡ଼ି ଗାଁକୁ ଫେରିବାରେ ଲାଗିଛନ୍ତି। କେଉଁଠି ରାଜ୍ୟ ଓ ଜିଲା ସୀମା ପାର୍‌ ହୋଇ ଚାଲିଚାଲି ଗାଁକୁ ଫେରୁଛନ୍ତି ତ ଆଉ କେଉଁଠାରେ ଶ୍ରମିକମାନେ ଗାଁକୁ ଫେରିବା ଲାଗି ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲଗୁଡ଼ିକରେ ଭିଡ଼ ଜମାଉଛନ୍ତି। ଗୋଟିଏ ସ୍ଥାନରେ ବିଭିନ୍ନ ଅଞ୍ଚଳର ଲୋକ ବହୁସଂଖ୍ୟାରେ ଏକାଠି ହେଉଛନ୍ତି। ଲୋକଙ୍କ ଏପରି ଏକାଠି ହେବା କରୋନା ଭୂତାଣୁର ସାମାଜିକ ସଂକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରୁଛି। ଏହି ସଂକ୍ରମଣ ସହରରୁ ସିଧା ଯାଇ ଗାଁରେ ପହଞ୍ଚିବା ଆଶଙ୍କା ଉପୁଜିଛି।
କରୋନା ସଂକ୍ରମଣ ସହରରୁ ଗାଁକୁ ନ ବ୍ୟାପିବା ଲାଗି କେନ୍ଦ୍ର ସରକାର ସମସ୍ତ ଆନ୍ତଃରାଜ୍ୟ ସୀମା ଓ ଜିଲା ସୀମା ସିଲ୍‍ (ବନ୍ଦ) କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ରବିବାର କେନ୍ଦ୍ର ସରକାର କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଯାତାୟାତକୁ ରୋକାଯିବ। ଏଥିପାଇଁ ସମସ୍ତ ରାଜ୍ୟ ଓ ଜିଲା ସୀମାକୁ ସିଲ୍‍ କରାଯିବ। କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଥା ହୋଇ ଏହି ନିର୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ରାଜପଥ ଓ ସହରରୁ ଗାଁକୁ ଲୋକଙ୍କ ଚଳପ୍ରଚଳ ଯେପରି ନ ହେବ ତାକୁ ନିଶ୍ଚିତ କରିବାକୁ ପଡ଼ିବ। ରାଜପଥରେ କେବଳ ଜିନିଷପତ୍ର ପରିବହନକୁ ଅନୁମତି ଦିଆଯିବ । ଏହାକୁ କଡାକଡି ଭାବେ ପାଳନ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବେ। ଯେଉଁ ଶ୍ରମିକମାନେ ସହର ଛାଡି ଗାଁକୁ ଯାଉଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଭାବେ ୧୪ଦିନ କ୍ୱାରେନଟାଇନ୍‍ରେ ରଖାଯିବ। ଲକଡାଉନ ସମୟରେ ଯଦି ଲୋକଙ୍କ ଚଳପ୍ରଚଳ ଜାରି ରୁହେ ସେଥିପାଇଁ ଜିଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ପ୍ରବାସୀ ଶ୍ରମିକମାନେ ଯେଉଁଠାରେ ଅଟକି ରହିଥିବେ ସେଠାରେ ସେମାନଙ୍କ ଲାଗି ପର୍ଯ୍ୟାପ୍ତ ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ କରିବା ଲାଗି କ୍ୟାବିନେଟ ସଚିବ ଓ ସ୍ୱରାଷ୍ଟ୍ର ବିଭାଗ ଅଧିକାରୀମାନେ ନିୟମିତ ଭାବେ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ମୁଖ୍ୟଙ୍କ ସହିତ ଯୋଗାଯୋଗ ଚଳାଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା ଲାଗି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।
ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିଯିବାର ଦୁଇଟି କାରଣ ରହିଛି। ପ୍ରଥମତଃ କରୋନା ଭୂତାଣୁ ସଂକ୍ରମଣର ଭୟ ଦ୍ୱିତୀୟ ହେଉଛି ନିୟମିତ କର୍ମସଂସ୍ଥାନ ହରାଇବା। ଲକଡାଉନ ଯୋଗୁଁ ସେମାନେ କୌଣସି କାମଧନ୍ଦା ପାଇପାରୁ ନାହାନ୍ତି; ତେଣୁ ସେମାନେ ଘରଭଡା ଦେଇପାରୁ ନାହାନ୍ତି କି ପିଲାଛୁଆଙ୍କୁ ଖାଇବା ଦେଇପାରୁ ନାହାନ୍ତି। ଲକଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ଦୁଃସ୍ଥିତି ସହଜରେ ସମାଧାନ ହୋଇଯିବ ନାହିଁ। ତେଣୁ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ। ଏପରି ଅନିଶ୍ଚିତା ପାଇଁ ଶ୍ରମିକମାନେ ସହରରୁ ଗାଁକୁ ଫେରିଯିବାକୁ ଉଚିତ ମନେ କରୁଛନ୍ତି।

Comments are closed.