ଭୁବନେଶ୍ବରରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ, ପଞ୍ଜୀକରଣ ପରେ ଘରକୁ ଗଲେ

ପ୍ରବାସୀଙ୍କ ଘରବାହୁଡ଼ା ଆରମ୍ଭ

ଭୁବନେଶ୍ବର: ଏବେ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ହୋଇଛି। ଆଜି ଭୁବନେଶ୍ବର ଷ୍ଟେସନ୍‌ରେ ପ୍ରାୟ ୫୦୦ରୁ ଅଧିକ ପ୍ରବାସୀ ଶ୍ରମିକ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁରୁ ଏହି ପ୍ରବାସୀ ଶ୍ରମିକମାନେ ପ୍ରଶାନ୍ତି ଏକ୍ସପ୍ରେସ୍‌ରେ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ଭୁବନେଶ୍ବର ରେଲ୍‌ୱେ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଯଦିଓ ସେମାନେ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ଏବଂ କରୋନା ଟିକାର ଦ୍ବିତୀୟ ଡୋଜ୍‌ ସାର୍ଟିଫିକେଟ୍‌ ସାଙ୍ଗରେ ଆଣିଥିଲେ, ତଥାପି ରେଲ୍‌ୱେ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସଂକ୍ରମଣ ନ ବ୍ୟାପିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରବାସୀମାନେ ଟ୍ରେନ୍‌ରୁ ଓହ୍ଲାଇବା ପରେ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଥିଲା। ଏହାପରେ ଥର୍ମାଲ୍‌ ସ୍କାନିଂ ଓ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। କରୋନା ନେଗେଟିଭ୍‌ ଆସିଥିବା ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା ଏବଂ ସେମାନେ ସେମାନଙ୍କ ଅଞ୍ଚଳରେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଗଞ୍ଜାମ, ମୟୂରଭଞ୍ଜ ଓ ଅନ୍ୟ ଜିଲା ପରେଆଜି ଖୋର୍ଦ୍ଧା ଜିଲାରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଦେଖିବାକୁ ମିଳିଛି।


ପ୍ରବାସୀଙ୍କ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପ୍ରବାସୀ ଶ୍ରମିକମାନେ କୋଭିଡ ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ ଦାୟୀ ବୋଲି ବିଶେଷଜ୍ଞ କହିଛନ୍ତି। ଯେଉଁସବୁ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନେ ଆସୁଛନ୍ତି, ସେହି ରାଜ୍ୟଗୁଡିକରେ ପର୍ଯ୍ୟାପ୍ତ କୋଭିଡ ପରୀକ୍ଷା ସୁବିଧା ନାହିଁ। ସେଠାରୁ ଏହି ଶ୍ରମିକମାନେ ଆସିବାପରେ ଓ
ଓଡ଼ିଶାରେ ସଂକ୍ରମଣ ଅଧିକ ବୃଦ୍ଧିପାଇବା ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ସୀମାନ୍ତ ଜିଲାଗୁଡ଼ିକ ପ୍ରବେଶ ପଥକୁ ସିଲ୍‌ କରିଦେଇଛନ୍ତି। ବାହାର ରାଜ୍ୟର ଓଡ଼ିଶା ମୁହାଁ ଲୋକଙ୍କୁ କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଏବଂ ଦ୍ବିତୀୟ ଡୋଜ୍ କରୋନା ସାର୍ଟିଫିକେଟ୍‌ ଆଣିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଗତବର୍ଷ ପ୍ରବାସୀମାନେ ଓଡ଼ିଶା ଫେରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଦ୍ରତୁ ଗତିରେ ବୃଦ୍ଧି ପାଇଥିଲା ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇଁ ପ୍ରବାସୀଙ୍କୁ ଦାୟୀ କରାଯାଇଥିଲା। ତେବେ ପ୍ରବାସୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ପ୍ରବାସୀ ଶ୍ରମିକମାନେ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବେ ଏବଂ ତତ ସହିତ କରୋନା ଜନିତ କଟକଣା ପାଳନ କରାଯାଇ ପାରିବ ସେ ନେଇ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଗୁଡିକ ରାଜ୍ୟ ସ୍ତରୀୟ ନୋଡାଲ୍ ଅଧିକାରୀ ଏବଂ ଜିଲ୍ଲା, ବ୍ଲକ ଓ ତହସିଲ ସ୍ଥରୀୟ ନୋଡାଲ୍ ଅଧିକାରୀ ନିୟୋଜିତ ହୋଇଛନ୍ତି।

Comments are closed.