ପ୍ରଶାସନ ନୀରବ – ଅସହାୟ ଅବସ୍ଥାରେ ଫେରୁଛନ୍ତି ଶ୍ରମିକ

କଲମପୁର: କରୋନା ଭୁତାଣୁ ସଂକ୍ରମଣର ଆଶଙ୍କାରେ କଲବଲ ହେଉଛି ଜନ ଜୀବନ। ଲୋକଙ୍କ ଜୀବନ ସୁରକ୍ଷାକୁ ନେଇ ଚିନ୍ତିତ ହେଉଛନ୍ତି ସରକାର। ସେମାନଙ୍କ ସୁରକ୍ଷା ପାଇଁ ରିତିମତ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। କିନ୍ତୁ କରୋନା ସଂକ୍ରମଣ ଥମିବା ବଦଳରେ ବଢି ବଢି ଚାଲିଛି। ଏଭଳି ସ୍ଥିତିକୁ ଆହୁରି ଜଟିଳ କରୁଛି ପ୍ରବାସୀ ଓଡିଆଙ୍କ ଘର ବାହୁଡା। ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସବୁରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ହୁଗୁଳି ଯାଇଥିବାରୁ ଅବାଧରେ ଶ୍ରମିକ ମାନେ ଜନବସତି ଅଞ୍ଚଳରେ ବୁଲା ବୁଲି କରୁଥିବା ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ହେଉଛି। ଯଦି ଦୁର୍ଭାଗ୍ୟ ବସତଃ ଏହି ପ୍ରବାସୀଙ୍କ ମଧ୍ୟରେ କରୋନା ଭୁତାଣୁ ସଂକ୍ରମିତ ହେଇଥାଏ ତେବେ କଳାହାଣ୍ଡି ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହରାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

ସୁଚନାଯୋଗ୍ୟ ଯେ, ତେଲେଙ୍ଗାନା ଅଞ୍ଚଳରେ ନିୟୋଜିତ ହେଇଥିବା କଳାହାଣ୍ଡି ଜିଲାର ଧର୍ମଗଡ ଉପଖଣ୍ଡ ଅଞ୍ଚଳର ଶତାଧିକ ଶ୍ରମିକଙ୍କୁ ନେଇ ଗତ ୨୦.୫ ଦିନ ୪ ଗୋଟି ବସ୍‍ ସକାଳ ୯ଟାରେ ବାହାରି ଥିଲା। ଜିଲା ସଦର ମହାକୁମା ଭବାନିପାଟଣାରେ ପହଞ୍ଚିବା ପରେ ଉକ୍ତ ୪ ଗୋଟି ବସକୁ ଥୁଆମୁଳ ରାମପୁର ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଦୀର୍ଘ ୨୪ ଘଣ୍ଟା ଯାତ୍ରା ପରେ ୩ ଗୋଟି ବସ୍‍ ଥୁଆମୁଳ ରାମପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା। ସେଠାରେ ବସ୍‍ ରହଣି ପରେ ବସରେ ଥିବା ଯାତ୍ରୀ ମାନେ ଓହ୍ଲାଇଯାଇ କିଏ ଏଟିଏମକୁ ତ କିଏ ବ୍ଲକ କାର୍ଯ୍ୟାଳୟ ପରିସରକୁ ଦୌଡି ଥିଲେ। ପ୍ରଶାସନ ତରଫରୁ କୌଣସି ନିୟନ୍ତ୍ରଣ କରାଯାଇନଥିଲା। ଏହି ପ୍ରବାସୀ ମାନଙ୍କ ମଧ୍ୟରେ କେହି କରୋନା ସଂକ୍ରମିତ ରହିଥିଲେ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ଏଭଳି କିଛି ଲୋକଙ୍କ ଅଭିଯୋଗ ପରେ ତୁରନ୍ତ ଅଗ୍ନିଶମ ବିଭାଗ ତରଫରୁ ଏହି ଅଞ୍ଚଳକୁ ସାନିଟାଇଜେସନ କରାଯାଇଥିଲା। ଅନ୍ୟ ଏକ ବସର ଇଞ୍ଜିନରେ ତୃଟି ଯୋଗୁଁ ମୋଟୁ ଠାରୁ ଥୁଆମୁଳ ରାମପୁର ଆସିବା ରାସ୍ତାର ୩ ଗୋଟି ସ୍ଥାନରେ ଖରାପ୍‍ ହେଇଥିଲା।

ଗୁରୁବାର ଦିନ ୧୨ଟା ବେଳେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କୁମୁଡା ବାହାଲ ଗ୍ରାମ ନିକଟସ୍ଥ (ଗ୍ରାମ ବିକାଶ ଶିକ୍ଷା ନିକେତନ)ର ସମ୍ମୁଖରେ ପୁନଃ ବସ୍‍ ଟି ଖରାପ ହେଇଯାଇଥିଲା। ଗାଡି ଭିତରେ ବସି ଥିବା ସମସ୍ତ ପ୍ରବାସୀ ଓଡିଆ ନିଜ ଛୁଆ ପିଲାଙ୍କୁ ନେଇ ଓହ୍ଲାଇ ପଡିଥିଲେ ଏବଂ ନିକଟସ୍ଥ ଗଛ ମୂଳରେ ବସି ପଡିଥିଲେ। ଏପରିକି ସେମାନେ ସେମାନଙ୍କ ଛୁଆ ସବୁ ଭୋକ ଶୋଷରେ ରହିଥିବା ସୁଚନା ଦେଇଥିଲେ। ଏନେଇ ବ୍ଲକ ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ ଦୀର୍ଘ ଏକ ଘଣ୍ଟା ପରେ ବ୍ଲକ ପ୍ରଶାସନ ତରଫରୁ କିଛି ଅଧିକାରୀ ପହଞ୍ଚି ଗ୍ରାମବିକାଶ ଶିକ୍ଷା ନିକେତନ ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ଖାଇବା ବନ୍ଦୋବସ୍ଥ କରାଯାଇଥିଲା। ପରବର୍ତି ସମୟରେ ଏହି ଶ୍ରମିକଙ୍କୁ ସିନ୍ଧିପଦର ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବାର ନିଷ୍ପତି ନେଇଥିବା ସୁଚନା ମିଳିଛି।

ଏଭଳି ଦୟନୀୟ ହେଇ ଫେରୁଥିବା ଶ୍ରମିକଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସେହିଭଳି ଯାଜପୁର ଜିଲାରୁ ରାୟଗଡା ପର୍ଯ୍ୟନ୍ତ ଅସିବା ପରେ ଜୁନାଗଡ ମିଚାଗାଁର ଜଣେ ଶ୍ରମିକ ରାଧାକୃଷ୍ଣ ପ୍ରଧାନୀ କାଶିପୁର ଠାରୁ ଚାଲି ଚାଲି ଆସି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ସିଙ୍ଗାରୀ ଘାଟି ରାସ୍ତା ଦେଇ କଲମପୁର ଆସୁଥିବା ବେଳେ କୁଲେଇ ଜୋର ନିକଟରେ ଅଚଳ ହେଇ ପଡିଥିଲା। ଚାଲିବାକୁ ସମ୍ବଳ ଜୁଟାଇ ନପାରି ଅସହାୟ ଅବସ୍ଥାରେ ଶୋଇଥିବା ବେଳେ କିଛି ଯୁବକଙ୍କ ଠାରୁ କଲମପୁର ବି.ଡି.ଓ ହେମସାଗର ଭୋଇ ଓ ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୁଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରୁ ଉଦ୍ଧାର କରାଯାଇ ଯୁବକଙ୍କୁ ଜୁନାଗଡ ବ୍ଲକ କାର୍ଯ୍ୟାଳୟକୁ ପାଠାଯାଇଛି। ସେଠାରୁ ତା ନିଜ ଗାଁକୁ ପଠାଯିବ ବୋଲି ବି.ଡି.ଓ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।

Comments are closed.