ବିଗୁଡୁଛି ସୁରତ ସ୍ଥିତି : ସପ୍ତାହକୁ ଦୁଇଦିନ କଳକାରଖାନା ବନ୍ଦ ଯୋଜନା, ପୁଣି ଚିନ୍ତାରେ ପ୍ରବାସୀ

ବ୍ରହ୍ମପୁର : କିଛିଦିନ ହେଲା ସୁରତରେ କରୋନା କାୟା ମେଲାଇଛି। ସମଗ୍ର ସୁରତ ସହରରେ ଭୟାନକସ୍ଥିତି ଉପୁଜିବାରୁ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରି ଦିଆଯାଇଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। କେବଳ ସୁରତ ମହାନଗର ନିଗମ ଅଞ୍ଚଳରେ ଦିନକୁ ତିନିଶହରୁ ଅଧିକ କରୋନାରେ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ଆଜି ବି ସହରରେ ଶତାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଣେ ସହରର କଟନ ବଜାର ଓ ସିଟି ବସ ସହ ସବୁ ସ୍କୁଲ ଓ କଲେଜକୁ ପୁନର୍ବାର ଅନିର୍ଦିଷ୍ଟକାଳ ପାଇଁ ବନ୍ଦ କରି ଦିଆଯାଇଛି। ଯେଉଁ ଅଞ୍ଚଳରୁ କରୋନା ପଜିଟିଭ ବାହାରୁଛି ସେହି ଅଞ୍ଚଳର ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ତ୍ବରିତ ସେଠାକାର ପ୍ରଶାସନ ବନ୍ଦ କରୁଛନ୍ତି। ସହରର ସ୍ଥିତି ବିଗୁଡିଥିବାରୁ ସପ୍ତାହକୁ ଦୁଇଦିନ ରବିବାର ଓ ସୋମବାର କଳାକାରଖାନା ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନ ଚିନ୍ତା କରୁଛନ୍ତି। ଏହା ଯଦି ବାସ୍ତବ ରୂପ ନିଏ ତେବେ ପ୍ରବାସୀ ଓଡ଼ିଆ ପୁଣି ଥରେ ଜୀବନଜୀବିକାକୁ ନେଇ ବିକଳ୍ପ ଚିନ୍ତା କରିବା କିମ୍ବା ଭିଟାମାଟିକୁ ଫେରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ପ୍ରବାସୀମାନେ ବେଶ ଦୁଇପଇସା ରୋଜଗାର କରିଛନ୍ତି। ସୂତାକଳ ବନ୍ଦ ହେଲେ ଭିଟାମାଟିକୁ ପୁଣି ଚାଲିଯିବାକୁ ଚିନ୍ତା କରିପାରନ୍ତି ବୋଲି ସୁରତ ଓଡିଆ ୱେଲଫେୟାର ଏସୋସିଏସନ ଉପସଭାପତି ଭାଗିରଥୀ ବେହେରା କହିଛନ୍ତି।
ସୂଚନା ପ୍ରକାରେ ବର୍ତ୍ତମାନ ସୁଦ୍ଧା ସୁରତ ସହରର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଜଣେ ବି କରୋନାରେ ଆକ୍ରାନ୍ତ ହେବାର ସୂଚନା ନାହିଁ। କଳକାରଖାନାକୁ ରୀତିମତ କାମ କରିବାକୁ ଯାଉଛନ୍ତି। କଁାଭଁା କେତେକ ସ୍ଥାନରେ ପ୍ରବାସୀ ଓଡ଼ିଆ କାମକୁ ଯିବାକୁ ପଛଘୁଞ୍ଚା ଦେଲେଣି। ପରିସ୍ଥିତି ଅସମ୍ଭାଳ ହେଲେ ପୁନର୍ବାର ଭିଟାମାଟିକୁ ଫେରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ପ୍ରବାସୀ ଶ୍ରମିକ ସେବା ସଂଗଠନର ନେତା ପୀତାମ୍ବର ପ୍ରଧାନ କହିଛନ୍ତି। ପୂର୍ବାପେକ୍ଷା ପ୍ରବାସୀ ଓଡ଼ିଆମାନେ ଅତି ସତର୍କତାର ସହ ଚଳପ୍ରଚଳ କରୁଛନ୍ତି ଏବଂ ସେମାନଙ୍କ ପ୍ରତି ଠାକୁରଙ୍କ ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି।
ଗଞ୍ଜାମ ଜିଲାରେ ଏବେ ଯାତ୍ରା ଋତୁ। ଗଞ୍ଜାମ ଦଣ୍ଡନାଚରେ ସୁରତ ଓଡ଼ିଆଙ୍କ ପୃଷ୍ଠପୋଷକତା ରହୁଥିବାରୁ ଚଳିତବର୍ଷ ମଧ୍ୟ ପ୍ରବାସୀମାନେ ଗଞ୍ଜାମକୁ ଫେରିବା ଆଶା କରାଯାଉଛି। ଏଣେ କଟକଣା ଏବଂ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଣ୍ଡନାଚକୁ ଗଞ୍ଜାମ ଜିଲା ପ୍ରଶାସନ ଅନୁମତି ଦେଇଛନ୍ତି। ଚଳିତ ମାସଠାରୁ ପ୍ରସିଦ୍ଧ ଦଣ୍ଡନାଚ, ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା, ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆଦି ଆରମ୍ଭ ହେଉଛି। ପ୍ରବାସୀମାନେ ପ୍ରତିବର୍ଷ ଏହି ସମୟରେ ଭିଟାମାଟିକୁ ଆସି ବେଶ ମଉଜ କରିଥାନ୍ତି। କିନ୍ତୁ ଚଳିତବର୍ଷ କଟକଣାଭିତରେ ଏସବୁ ଉତ୍ସବ ପାଳନ ହେଉଥିଲେ ହେଁ ମାନସିକ ପୂରଣ ପାଇଁ କିଛି ପ୍ରବାସୀ ଭିଟାମାଟିକୁ ଫେରିବାକୁ ବସ୍ ବୁକ କରିଛନ୍ତି ବୋଲି ପୀତାମ୍ବର ପ୍ରଧାନ କହିଛନ୍ତି। ଜିଲାକୁ ଏବେ ନଫେରିବାକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରବାସୀ ଓଡ଼ିଆଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାସତ୍ତ୍ବେ ପରିସ୍ଥିତି​‌େ​‌ର ପଡି ଗଳାବାଟ ଦେଇ ପ୍ରବାସୀ ଗଞ୍ଜାମକୁ ଆସିବାର ସମ୍ଭାବନା ରହିଥିବାରୁ ଜିଲା ପ୍ରଶାସନ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଛି।

Comments are closed.