ରାଜ୍ୟକୁ ଫେରିଲେଣି ୫,୪୩,୯୦୫ ପ୍ରବାସୀ ଶ୍ରମିକ, ଜୀବନ ଜୀବିକା ସୁବିଧା ପାଇଁ ସୃଷ୍ଟି ହୋଇଛି ୨୦କୋଟି ଶ୍ରମ ଦିବସ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୪,୯୬୮ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ୟ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୪୩,୯୦୫ ଜଣ ଫେରିଛନ୍ତି। ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର ଜୀବନଜୀବିକାର ସୁବିଧା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାର ମନରେଗା ଅଧୀନରେ ୨୦ କୋଟି କର୍ମଦିବସ ସୃଷ୍ଟି ନିମନ୍ତେ ଯୋଜନା କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ୧.୩ ଲକ୍ଷ ପୋଖରୀ ଖନନ ନିମନ୍ତେ ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି। ରାଜ୍ୟରେ ବ୍ୟାପକ ବନୀକରଣ କରିବା ପାଇଁ ଅଗଷ୍ଟ ମାସ ସୁଦ୍ଧା ୧୫ କୋଟି ଗଛ ଲଗାଇବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ କୋଟି ବୃକ୍ଷରୋପଣ ହୋଇଥିବାବେଳେ ବନୀକରଣ ଯୋଜନାକୁ ସୁଦୂରପ୍ରସାରୀ କରିବା ଓ ଜଙ୍ଗଲସୁରକ୍ଷା ପାଇଁ ୧ ହଜାର ବନ ସଂରକ୍ଷଣ ସମିତି ଗଠନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।