ଘାରୁଛି ଘରବାହୁଡ଼ାଙ୍କ ରୋଜଗାର ଚିନ୍ତା ; ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶ ଆରମ୍ଭକଲା ଶ୍ରମିକ ପ୍ରୋଫାଇଲ୍‌

ଭୁବନେଶ୍ବର : ରାଜ୍ୟକୁ ଏବେ ଲକ୍ଷାଧିକ ଓଡ଼ିଆ ଲୋକ ଅନ୍ୟ ରାଜ୍ୟ ଓ ଦେଶରୁ ଫେରୁଛନ୍ତି। କରୋନା ସଂକ୍ରମଣର ଭୟାବହତା ଓ ଲକ୍ ଡାଉନ୍ ପ୍ରଭାବ ଯୋଗୁଁ ଅନେକ ଲୋକ ନିଜ କର୍ମସ୍ଥାନକୁ ଫେରିବାର ସମ୍ଭାବନା କମ୍। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରବାସୀ ଓଡ଼ିଆଙ୍କର ବଡ଼ ଭୂମିକା ରହିଥିବା ବେଳେ କାମଧନ୍ଦା ହରାଇ ସେମାନେ ଘରେ ବସିଲେ ଆଗକୁ ରାଜ୍ୟର ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପରିସ୍ଥଳେ ରାଜ୍ୟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଦକ୍ଷତାକୁ ମ୍ୟାପିଂ କରି ସଂପ୍ରତି ଏକ ଡାଟାବେସ୍ ପ୍ରସ୍ତୁତ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହା ଦ୍ବାରା ଭବିଷ୍ୟତରେ ରାଜ୍ୟକୁ ଦକ୍ଷ ମାନବସମ୍ବଳ ଯୋଗାଇବା ସହ ଆର୍ଥିକ ବିକାଶ ଅଣାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ରାଜ୍ୟର ପ୍ରାୟ ୪୦ ଲକ୍ଷ ଓଡ଼ିଆ ଦେଶର ବିଭିନ୍ନ ପ୍ରାନ୍ତରେ ରହି କର୍ମନିୟୋଜନ ପାଇଛନ୍ତି। ବିଶେଷକରି ଗୁଜରାଟ, ତାମିଲନାଡ଼ୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଭିନ୍ନ ଭିନ୍ନ ସଂସ୍ଥାରେ କାମ କରୁଛନ୍ତି। ସେଥିରେ ତାଙ୍କର ବେଶ୍ ଦକ୍ଷତା ରହିଛି। କିନ୍ତୁ କରୋନା ସଂକ୍ରମଣ ଓ ଲକ୍ ଡାଉନ୍ ପାଇଁ ରୋଜଗାର ହରାଇ ସେମାନେ ଗାଁ ମୁହଁା ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଲକ୍ଷ ଲୋକ ଫେରିବା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ସାଢ଼େ ତିନି ଲକ୍ଷ ଲୋକ ଫେରିଲେଣି। ଫେରିଥିବା ଅଧିକାଂଶ ଲୋକ ଆଉ ପୁରୁଣା ସ୍ଥାନକୁ ନ ଫେରି ରାଜ୍ୟରେ କର୍ମନିୟୋଜନ ଖୋଜିବା ଆରମ୍ଭ କରିଛନ୍ତି। ତେବେ ସରକାରଙ୍କ ହସ୍ତକ୍ଷେପ ବିନା ଏହା ସମ୍ଭବ ହେବ ନାହିଁ। ଏବେ ଫେରୁଥିବା ଲୋକଙ୍କର କେବଳ ସ୍ବାସ୍ଥ୍ୟ ସହ ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରାଯାଉଛି। ତେବେ ଏଥିରେ ଯଦି ସେମାନଙ୍କର ପୁରୁଣା କାର୍ଯ୍ୟ, କେଉଁ କାମରେ ଦକ୍ଷତା ରହିଛି, କେତେ ଟଙ୍କା ରୋଜଗାର କରୁଥିଲେ ଆଦି ବିବରଣୀ ସଂଗ୍ରହ କରି ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇ ପାରନ୍ତା, ତା’ହେଲେ ଭବିଷ୍ୟତରେ ଏକ ଦକ୍ଷ ମାନବସମ୍ବଳ ସୃଷ୍ଟିରେ ସହାୟକ ହୋଇପାରିବ। ସେଣ୍ଟର ଫର୍‌ ପିଲିସି, ଗଭର୍ଣ୍ଣାନ୍ସ ଆଡ୍‌ଭୋକେସି (ସିପିଜିଏ)ର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା କହିଛନ୍ତି, ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ଓ କର୍ମନିୟୋଜନ ପ୍ରୋଫାଇଲ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମ ରାଜ୍ୟରେ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଡିଜିଟାଲ ପଦ୍ଧତ୍ତିରେ କାର୍ଯ୍ୟ କରୁଛି। ତେଣୁ ପଞ୍ଚାୟତ ସ୍ତରରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟର ଓ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଦକ୍ଷତା ସମ୍ପର୍କିତ ତଥ୍ୟକୁ ଯୋଡ଼ାଯାଇ ପାରିଲେ ପୂରା ଡାଟାବେସ୍ ଅଧିକ ସୁଦୂରପ୍ରସାରୀ ହୋଇପାରିବ। ଏଥିସହ ସମ୍ପୃକ୍ତ ବିଭାଗଗଡ଼ିକୁ ଉକ୍ତ ଡାଟାବେସ୍ ସହିତ ଯୋଡ଼ାଯିବା ଆବଶ୍ୟକ। ଜିଲା ସ୍ତରରେ ଥିବା ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି), ନିଯୁକ୍ତି ମିଶନ୍ ଓ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କୁ ନେଇ କାମ କଲେ ଜିଲା ଓ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟରେ ସେମାନଙ୍କୁ ନିୟୋଜନ ଦେବା ଫଳପ୍ରଦ ହେବ। ଏହା ପୂର୍ବରୁ ସମ୍ପୃକ୍ତ ବିଭାଗଗୁଡ଼ିକର କାର୍ଯ୍ୟ ପରିସର ବୃଦ୍ଧି କରାଯିବା ଜରୁରୀ।
ବିଶେଷକରି ମନରେଗା, ଏମ୍‌ଏସ୍‌ଏମ୍‌ଇ ଏବଂ ଅନ୍ୟ କାର୍ଯ୍ୟକ୍ରମରେ ଦକ୍ଷତା ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ କାମରେ ଲଗାଯାଇ ପାରିବ। ପୂରା ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶା ପ୍ରବାସୀ ଶ୍ରମିକ କଲ୍ୟାଣ କମିସନ, ବୋର୍ଡ କିମ୍ବା ନିଗମ ଗଠନ କରାଯିବା ଉଚିତ। ଏହା ଦ୍ବାରା କର୍ମ ସଂସ୍ଥାନ ହରାଇ ଫେରୁଥିବା ଲୋକ ସ୍ବାବଲମ୍ବୀ ହେବା ସହ ଅର୍ଥନୀତି ସୁଦୃଢ଼ ହେବ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ବର୍ଗୀକରଣ ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ ନେଇଛନ୍ତି। ବର୍ଗୀକରଣ ପରେ ସେମାନଙ୍କୁ ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିୟୋଜିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ଏକ ସ୍ବତନ୍ତ୍ର ପୋର୍ଟାଲ ପ୍ରସ୍ତୁତ ହେଉଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଉନ୍ନୟନ କମିସନର ସୁରେଶ ମହାପାତ୍ର କହିଛନ୍ତି।

ସେହିପରି ନିଜ ଉଦ୍ୟମରେ କିଛି ଷ୍ଟାର୍ଟଅପ୍ ପାଇଁ ମନବଳାଇ ଥିବା ଦକ୍ଷ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ସରକାରୀ ସହାୟତା କରିପାରିବେ। ଏପରିସ୍ଥଳେ ସରକାର ଯଦି ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ଓ କର୍ମ ସଂସ୍ଥାନ ବିବରଣୀ ଏହି ସରକାରୀ ପୋର୍ଟାଲରେ ସାମିଲ କରିବେ ତା ହେଲେ ଦକ୍ଷତାର ବର୍ଗୀକରଣ କାର୍ଯ୍ୟ ଅଧିକ ଫଳପ୍ରଦ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.