ଦୀର୍ଘ ୩୫ ବର୍ଷ ସେବା ଦେବା ପରେ ଡିସେମ୍ବରରେ ଅବସର ନେବ ସାହସୀ ଯୁଦ୍ଧ ବିମାନ ମିଗ୍-୨୭

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ତିନି ଦଶକରୁ ଅଧିକ ସମୟ ଧରି ସେବା ଯୋଗାଇ ଆସୁଥିବା ଯୁଦ୍ଧ ବିମାନ ମିଗ୍-୨୭ ଆସନ୍ତା ଡିସେମ୍ବରରେ ଅବସର ଗ୍ରହଣ କରିବ। ଭାରତୀୟ ବାୟୁସେନାରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୩୧ ତାରିଖରେ ବିଧିବଦ୍ଧ ଭାବରେ ମିଗ୍-୨୭କୁ ସେବାରୁ ନିବୃତ୍ତ କରାଯିବ। ଏଥିପାଇଁ ଯୋଧପୁର ଯୁଦ୍ଧ ବିମାନ ଘାଟିରେ ଏକ ବିଦାୟ ସମାରୋହର ଆୟୋଜନ କରାଯିବ। ସେନା ଅଧିକାରୀଙ୍କ ବ୍ୟତୀତ ବାୟୁସେନାର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଅଧିକାରୀ ଏହି ସମାରୋହରେ ଯୋଗ ଦେବେ।

ଭାରତ ପକ୍ଷରୁ ଏହି ଯୁଦ୍ଧ ବିମାନର ନାମ ବହାଦୁର ବା ସାହସୀ ଦିଆଯାଇଛି। ୧୯୮୪ ମସିହାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ସାହସୀ ଯୁଦ୍ଧ ବିମାନ ୭ଟି ଅପେରସନାଲ ସ୍କ୍ୱାଡ୍ରନ୍‌ସ, ଅନ୍ୟ ଯୁଦ୍ଧ ପ୍ରଶିକ୍ଷଣ ଏବଂ ରଣନୀତି ମୂଲ୍ୟାଙ୍କନ (ଷ୍ଟ୍ରାଟେଜି-ଇଭାଲୁଏସନ୍‌) ପ୍ରତିଷ୍ଠାରେ ସେବା ପ୍ରଦାନ କରିଛି।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚ୍‌ଏଏଲ୍) ପକ୍ଷରୁ ୨୦୦୪ରେ ୧୬୫ଟି ମିଗ୍-୨୭ ଯୁଦ୍ଧ ବିମାନ ନିର୍ମାଣ କରାଯାଇଥିଲା। ସେଗୁଡିକ ମଧ୍ୟରୁ କେତେକ ଯୁଦ୍ଧ ବିମାନକୁ ଅପଗ୍ରେଡ କରାଯାଇ ମିଗ୍-୨୭ ୟୁପିଜି ନାମ ରଖାଯାଇଥିଲା।

ସୂଚନାଯୋଗ୍ୟ, ଦୀର୍ଘ ୩୫ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଯୁଦ୍ଧ ବିମାନ ମିଗ୍-୨୭କୁ ଅବସର ଦେବା ପାଇଁ ଭାରତୀୟ ବାୟୁ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୮୭ତମ ଏୟାରଫୋର୍ସ ଡେ ଅବସର​‌ରେ ଯୁଦ୍ଧ ବିମାନ ମିଗ୍-୨୭କୁ ସେବାରୁ ନିବୃତ୍ତ କରାଯାଇଛି। କିନ୍ତୁ ଆସନ୍ତା ଡିସେମ୍ବର ୩୧ ତାରିଖରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ।

 

Comments are closed.