ରୁଚୁନି ମାଣ୍ଡିଆ, ମିଳୁନି ମଧ୍ୟାହ୍ନଭୋଜନ ଆଦିବାସୀ ଘରେ ପିଲାଙ୍କ ଦୁର୍ଦଶା

କୋରାପୁଟ : ମଧ୍ୟ୍ୟାହ୍ନ ଭୋଜନରୁ ବଞ୍ଚିତ କୋରାପୁଟ ଜିଲାର ହଜାର ହଜାର ବିଦ୍ୟାର୍ଥି । କରୋନା କଟକଣା ଭିତରେ ତାଲା ବନ୍ଦ ସମୟରେ ବିଦ୍ୟାଳୟ ପିଲାଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ଦିବାଧ୍ୟାୟୀ ପିଲାଙ୍କ ଅଭିଭାବକମାନେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ପାଖ ଗାଁରୁ ଆସି ପାଠ ପଢ଼ୁଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ କୁପନ କିମ୍ବା ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ପରିବର୍ତ୍ତେ ଏହି ଯୋଜନାରୁ ବାଦ ଦିଆଯିବା ଘଟଣା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ବହୁ ପିଲା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅଭ୍ୟସ୍ତ ଥିବାବେଳେ ଏବେ ସେମାନଙ୍କୁ ଘରେ ଦିଆଯାଉଥିବା ମାଣ୍ଡିଆ ଯାଉ ଆଉ ରୁଚୁ ନ ଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ . ସର୍ବଶିକ୍ଷା ଅଭିଯାନର ଏହି ସ୍ଲୋଗାନରେ ସମସ୍ତ ପିଲାଙ୍କୁ ସମାନ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗରେ ସମସ୍ତଙ୍କ ସମାନ ଅଧିକାର ଥିବା ଜଣାପଡ଼େ । ତେବେ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବା ତଥା ସେମାନଙ୍କ ସର୍ବନିମ୍ନ ପୁଷ୍ଟିକର ଖାଦ୍ୟ ସୁରକ୍ଷା କରିବା ଦିଗରେ ସହଯୋଗ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରତିଟି ବିଦ୍ୟାଳୟରେ ଲାଗୁ ହୋଇଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଏବେ ସାଙ୍ଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ( ଏସ ଏଣ୍ଡ ଏମ୍ଇ ) ନା ଅନୁସୂଚିତ ଜାତି ଓ ଜନଜାତି ବିଭାଗ (ଏସଏସଡି)ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢୁଛି , ତାହା ଦେଖାଯାଇ ନ ଥିଲା । ସମସ୍ତ ଶିଶୁଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା।

କିନ୍ତୁ ତାଲା ବନ୍ଦ ଘୋଷଣା ପରେ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ବେଳେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବିଚିତ୍ର ନୀତି ଏବେ ପଦାକୁ ଆସିଛି । ଉକ୍ତ ଚିଠିରେ ରାଜ୍ୟର ସମସ୍ତ ଜିଲାପାଳମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ୯ କିଲୋ ଲେଖାଏଁ ଚାଉଳ ଦିଆଯାଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଵିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହତାଦର କରି ସେ ତାଲିକାରୁ ବଞ୍ଚିତ କରାଯାଇଥିଲା। ଏହା ଫଳରେ କୋରାପୁଟ ଜିଲାର ପ୍ରାୟ ୫୦ହଜାର ପିଲା ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଭାଗର ଏଭଳି ବୈମାତୃକ ମନୋଭାବର କାରଣ ସମ୍ପର୍କରେ କାହା ପାଖରେ ଉତ୍ତର ନାହିଁ। ବର୍ତ୍ତମାନ ସରକାର ପୁଣିଥରେ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ତାହା ପୁଣିଥରେ ଚାଉଳ ପାଇଥିବା ପିଲାଙ୍କୁ ହିଁ ମିଳିବ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଅନୁସୂଚତ ଜାତି ଓ ଜନଜାତି ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରୁ ବାଳକ ମାନଙ୍କୁ ପ୍ରତି ମାସ ପାଇଁ ୭୫୦ ଲେଖାଏଁ ତିନିମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବାବେଳେ ବାଳିକାମାନଙ୍କୁ ମାସକ ପାଇଁ ୮୦୦ଟଙ୍କା ଲେଖାଏଁ ତିନିମାସକୁ ୨୪୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହା ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଦିଆଯାଇଥିବା ଜଣାଯାଇଛି । ତେବେ ବିଦ୍ୟାଳୟରେ ପଢ଼ୁଥିବା ଦିବାଧ୍ୟାୟୀ ବିଦ୍ୟାର୍ଥିମାନଙ୍କୁ ନାଁ ସେଭଳି କୌଣସି ଭତ୍ତା କିମ୍ବା ମଧ୍ୟାହ୍ନ ଭୋଜନ ବାବଦକୁ କୁପନ କିମ୍ବା ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇନାହିଁ । ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାରେ ବିଭାଗୀୟ ନିର୍ଦେଶ ଓ ଗାଇଡଲାଇନ ଅନୁସାରେ ହିଁ ପଦକ୍ଷେପ ନିଆଯାଇଥିବା ସ୍ପଷ୍ଟ କରିଥିବାବେଳେ ମଧ୍ୟାହ୍ନ ଭୋଜନ ବନ୍ଦ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ପ୍ରତିକ୍ରିୟା ଦେଇପାରି ନ ଥିଲେ । ତେବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ର ପିଲାଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ କୌଣସି ନିର୍ଦେଶ ଆସି ନଥିବା ସେ ଜଣାଇଛନ୍ତି । ଯେଉଁ ପିଲାଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ଚାଉଳ ଏବଂ ପରବର୍ତୀ ପର୍ଯ୍ୟାୟରେ ଅର୍ଥ ଦେବାର ଯୋଜନା ଜରାଯାଇଛି ସେଥିରେ ମଧ୍ୟ ପିଲାଏ ବାସ୍ତବରେ କେତେଦୂର ଲାଭବାନ ହୋଇଥିବେ ତାହା ମଧ୍ୟ ବିରାଟ ପ୍ରଶ୍ନ ଛିଡା କରିଛି। ଏପଟେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଦ୍ୟାଳୟରେ ପଢ଼ୁଥିବା ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥ ବା ଚାଉଳ ନ ଦେଇ ଲକଡାଉନ ସମୟରେ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରୁଥିବା ଗରିବ ଆଦିବାସୀ ପରିବାରକୁ ଛାଡ଼ି ଦିଆଯିବା ଅର୍ଥ ଗରିବ ପିଲାର ପେଟକୁ ନାତ ସଦୃଶ ହୋଇଛି। ଅନ୍ୟପକ୍ଷରେ ଏ ନେଇ ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସରକାରଙ୍କ ନିର୍ଦେଶ ଅନୁସାରେ ନିଷ୍ପତି ନିଆଯାଇଛି, ତେବେ ସମସ୍ତ ପିଲା କିଭଳି ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ୍ ହେବେ ସେ ନେଇ ସରକାରୀସ୍ତରରେ ସକାରାତ୍ମକ ପଦକ୍ଷେପ ନେଇ ଯୋଜନା ଚାଲିଥିବା ପ୍ରକାଶ କରିଛନ୍ତି । ଏ ନେଇ ସେ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିବା ସହ କିଭଳି ସମସ୍ତ ପିଲା ଏହି ଯୋଜନାରେ ଉପକୃତ ହୋଇପାରିବେ ସେ ନେଇ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Comments are closed.