ଗୋବିନ୍ଦପୁର ପଞ୍ଚାୟତର ଦୁଇଟି ଗ୍ରାମ ଅଣୁ ଆବଦ୍ଧାଞ୍ଚଳ

ବେଗୁନିଆ: ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲାପାଳ ଅଶୋକକୁମାର ବେହୁରିଆ ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଦୁଇଟି ଗ୍ରାମକୁ ଆଜି ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଗୋବିନ୍ଦପୁର ପଞ୍ଚାୟତ ଅଧିନସ୍ଥ ବ୍ରହ୍ମପୁରା ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୩୨ ପରିବାରର ୧୩୦ ଲୋକ ବସ ବାସ କରୁଥିବା ଆଶାମଣି ମହାନ୍ତିଙ୍କ ଘର ଠାରୁ ଗଦାଧର ସାହୁଙ୍କ ଘର ପର୍ୟ୍ୟନ୍ତ ଏବଂ ଗୋବିନ୍ଦପୁର ଓ ଗୋପାଳପୁର ଗ୍ରାମରେ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୮୦ପରିବାରର ୩୦୪ ଲୋକ ବସ ବାସ କରୁଥିବା ରାଜକିଶୋର ମାଝୀଙ୍କ ଘର ଠାରୁ ରାଧାମୋହନ ରଥ ଙ୍କ ଘର ପର୍ୟ୍ୟନ୍ତ ୮ ତାରିଖ ସନ୍ଧ୍ୟା ୭ ଟାରୁ ୧୭ ତାରିଖ ରାତି ୯ ଟା ପର୍ୟ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଆବଦ୍ଧାଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ସେହି ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି।

 

ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହି ଆବଦ୍ଧାଞ୍ଚଳରେ ନୋଡାଲ ଅଫିସର ଭାବେ ସମ୍ପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଏବଂ ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର, ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ ,ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ,ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ସେଠାରେ କାର୍ୟ୍ୟ ସମ୍ପାଦନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥି ସହିତ ବେଗୁନିଆ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ୟ୍ୟର ତଦାରଖ ଦାଇତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ୨୮ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା ।ଆଜିର ଏହି ଘୋଷଣା ପରେ ବିଭିନ୍ନ ପଞ୍ଚାୟତର ୩୦ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା।

Comments are closed.