କରିକୋଲ ଗ୍ରାମ ଆଂଶିକ ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତ ଅଧିନ କରିକୋଲ ଗ୍ରାମରେ ୧୩ଜଣ କରୋନା ସଂକ୍ରମିତ ହେବା ପରେ ଉକ୍ତ ଗ୍ରାମକୁ ୧୦ଦିନ ପାଇଁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କରିକୋଲ ଗ୍ରାମର ଅର୍ଦ୍ଧାଧିକ ଅଞ୍ଚଳକୁ ଜୁଲାଇ ୩ ତାରିଖ ସକାଳ ୬ଟା ଠାରୁ ୧୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଗ୍ରାମରୁ କେହି ବାହାରକୁ ଅବା ବାହାରୁ କେହି ଗ୍ରାମକୁ ଯିବାଆସିବା ନକରିବା ପାଇଁ ବାରଣ କରାଯିବା ସହ ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡାରେ ଆବଦ୍ଧ କରାଯାଇଛି। ତତ୍ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବା ଏବଂ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଲାଗି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.