କ୍ରିକେଟରୁ ମିଚେଲ ଜନସନଙ୍କ ସନ୍ନ୍ୟାସ

0

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଜନସନ ରବିବାର କ୍ରିକେଟ୍‍ର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଶାରୀରିକସ୍ତରରେ ସମ୍ପୂର୍ଣ୍ଣ ଫିଟ୍‍ ରହିପାରୁନଥିବାରୁ ବିଗତ ତିନି ବର୍ଷ ଧରି କ୍ରିକେଟରୁ ଦୂରେଇ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଅବସର ନେବା ଶ୍ରେୟସ୍କର ବୋଲି ସେ କହିଛନ୍ତି। ୩୬ ବର୍ଷୀୟ ଜନସନ ୨୦୦୭ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳି ନିଜର ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୭ରୁ ୨୦୧୫ ମଧ୍ୟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ୭୩ଟି ଟେଷ୍ଟ ଖେଳି ୩୧୩ଟି ୱିକେଟ ଅକ୍ତିଆର କରିଥିବାବେଳେ ୧୫୩ଟି ଦିନିକିଆରୁ ୨୩୯ ଓ ୩୦ଟି ଟ୍ୱେଣ୍ଟି୨୦ରୁ ୩୮ ୱିକେଟ ହାସଲ କରିଛନ୍ତି। ୨୦୦୮ରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଇନିଂସରେ ୬୧ ରନ ବିନିମୟରେ ୮ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ଟେଷ୍ଟ ପ୍ରଦର୍ଶନ। ଶ୍ରୀଲଙ୍କା ବିପକ୍ଷରେ ୩୧ ରନରେ ୬ଟି ୱିକେଟ ତାଙ୍କର ଶ୍ରେଷ୍ଠ ଦିନିକିଆ ପ୍ରଦର୍ଶନ ଥିଲା। ଅଲରାଉଣ୍ଡର ମାନ୍ୟତା ପାଇନଥିଲେ ସୁଦ୍ଧା ବ୍ୟାଟିଂରେ ଜନସନଙ୍କ ଅବଦାନ ମଧ୍ୟ ଉଲ୍ଲେଖନୀୟ ଥିଲା। ଟେଷ୍ଟ ଫର୍ମାଟରେ ସେ ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ସହ ୨୦୬୫ ରନ ସ୍କୋର କରିଥିବାବେଳେ ଦିନିକିଆରେ ୯୫୧ ରନ ସ୍କୋର କରିଛନ୍ତି। ଆଇପିଏଲରେ ଜନସନ କିଙ୍ଗ୍‍ସ ଏକାଦଶ ପଞ୍ଜାବ, ମୁମ୍ବଇ ଇଣ୍ଡିଆନ୍‍ସ ଓ କଲକାତା ନାଇଟ ରାଇଡର୍ସକୁ ପ୍ରତିନିଧିତ୍ୱ କରିଛନ୍ତି। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଫାଷ୍ଟ ବୋଲର ଡେନିସ ଲିଲିଙ୍କ ମତରେ ‘ଜନସନଙ୍କ ଭଳି ଫାଷ୍ଟ ବୋଲର ଗୋଟିଏ ପିଢିରେ ଥରେ ଜନ୍ମଗ୍ରହଣ କରିଥାନ୍ତି’।

Leave A Reply