ମାଇକେଲ୍‌ ଜ୍ୟାକସନ୍‌ଙ୍କ ୧୫୦ ବର୍ଷ ଜିଇବାର ଇଚ୍ଛା!

ଶୀର୍ଷକ କଥାଟିର ସତ୍ୟତାକୁ ସ୍ବର୍ଗୀୟ ମାଇକେଲ୍ ଜ୍ୟାକସନ୍‌ଙ୍କ ପରିବାରଲୋକ ମିଥ୍ୟା ଅପପ୍ରଚାର ବୋଲି ବରାବର ଗଣମାଧ୍ୟମକୁ କହିଆସୁଛନ୍ତି ହେଲେ ମାଇକେଲ୍‌ଙ୍କ ଦାୟିତ୍ବରେ ଥିବା ଜଣେ ଡାକ୍ତର ହିଁ ନିଜ ନାମ ଗୋପନ ରଖି ଏଇ କଥାର ସତ୍ୟତାକୁ ଲୋକଲୋଚନକୁ ଆଣିଛନ୍ତି। ପପ୍‌୍ କିଙ୍ଗ୍ ଭାବେ ସମଗ୍ର ବିଶ୍ବରେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ ନିଜ ସ୍ବାସ୍ଥ୍ୟକୁ ନେଇ ଥିଲେ ବେଶ୍ ସଚେତନ, ୧୯୯୯ ପରଠାରୁ ଏକ ୧୨ଜଣିଆ ଡାକ୍ତର ଦଳଙ୍କ ପରାମର୍ଶରେ ହିଁ ମାଇକେଲ୍ ଖାଇବା, ପିଇବା, ବିଶ୍ରାମ ନେବା ସବୁକିଛି କରୁଥିଲେ। ନିଜ ସଙ୍ଗୀତରେ ବିଶ୍ବବାସୀଙ୍କୁ ମତୁଆଲା କରୁଥିବା ମାଇକେଲ୍ ଚାହୁଁଥିଲେ ୧୫୦ ବର୍ଷ ବଞ୍ଚିବାକୁ, ଏଥିପାଇଁ ସେ ଡାକ୍ତର ଦଳଙ୍କ ସହାୟତା ନେଉଥିଲେ। ମଜାଦାର ଖବର ହେଉଛି ଏଇ ଡାକ୍ତରମାନଙ୍କ ପାଉଣାରେ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ନିଜ ଘରେ ତିଆରି ଖାଦ୍ୟକୁ ମାଇକେଲ୍ ଖାଇବା ପୂର୍ବରୁ ପ୍ରଥମେ ପରୀକ୍ଷା କରାଉଥିଲେ, ଏଥିପାଇଁ ତାଙ୍କ ଘରେ ପରୀକ୍ଷାଗାର ଓ ବିଶେଷଜ୍ଞ ଦଳ ଥିଲେ। ମାଇକେଲ୍ ଶୋଉଥିବା ଖଟଟି ଥିଲା ଆଧୁନିକ କ୍ଷମତାସମନ୍ନ, ଏହି ଖଟ ଜରିଆରେ କକ୍ଷ ଭିତରର ଅମ୍ଳଜାନର ମାତ୍ରା ଜଣାପଡ଼ୁଥିଲା। ଭବିଷ୍ୟତରେ ଯଦି କେବେ ମାଇକେଲ୍ ରୋଗାଗ୍ରସ୍ତ ହୋଇ ତାଙ୍କର କୌଣସି ଅଙ୍ଗ ଅଚଳ ହୋଇପଡ଼େ, ସେସବୁ ନିମନ୍ତେ ଅଙ୍ଗଦାନ କରି ତାଙ୍କୁ ଜୀବିତ ରଖାଯିବାର ବନ୍ଦୋବସ୍ତ ମଧ୍ୟ ହୋଇସାରିଥିଲା। ଏତେସବୁ ତଦାରଖ କରିବା ପରେ ମଧ୍ୟ ମୃତ୍ୟୁର ଅକାଟ୍ୟ ସତକୁ ଶେଷରେ ମାଇକେଲ୍ ଜ୍ୟାକସନ୍ ଦେଖିଥିଲେ। ୨୦୦୯ରେ ମାତ୍ର ୫୦ ବର୍ଷ ବୟସରେ ହୃଦ୍‌ଘାତରେ ମାଇକେଲ୍ ପ୍ରାଣ ହରାଇଲେ, ତାଙ୍କୁ ବଞ୍ଚାଇବା ପାଇଁ ୧୨ଜଣିଆ ଡାକ୍ତରୀ ଦଳ ସହ କେଇ ଘଣ୍ଟା ମଧ୍ୟରେ ନ୍ୟୁୟର୍କ, ଲସ୍‌ଆଞ୍ଜେଲସ୍‌ରୁ ଡାକ୍ତରୀ ଦଳ ଆସିବା ସତ୍ତ୍ବେ କିଛି ଲାଭ ମିଳିନଥିଲା। ମାଇକେଲ୍‌ଙ୍କ ଏଇ ୧୫୦ ବର୍ଷ ବଞ୍ଚିବାର ଇଚ୍ଛାର ଖବରକୁ ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ହିଁ ଲୋକଲୋଚନକୁ ଆଣିଥିଲେ। ହେଲେ ତାଙ୍କ ପରିବାର ଲୋକ ଏହା ଅପପ୍ରଚାର କହି କଥା ବନ୍ଦ କରିଥିଲେ, ଖବରର ସତ୍ୟତା ଏଯାଏ ସ୍ପଷ୍ଟ ହୋଇନାହିଁ।

Comments are closed.