ମୁମ୍ବଇକୁ ଜିତାଇଲେ ଚହର, ବୋଲ୍ଟ

ହାଇଦରାବାଦ୍‌ର ତୃତୀୟ ପରାଜୟ

ଚେନ୍ନଇ : ରାହୁଲ ଚହର ଓ ଟ୍ରେଣ୍ଟ ବୋଲ୍ଟଙ୍କ ଚମତ୍କାର ବୋଲିଂ ବଳରେ ମୁମ୍ବଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଶନିବାର ଚେନ୍ନଇର ଚେପକ୍‌ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ଅପ୍ରତ୍ୟାଶିତ ଭାବେ ୧୩ରନରେ ସରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତ କରିଛି। କିରନ୍‌ ପୋଲାର୍ଡ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଛନ୍ତି। ଅନ୍ୟପକ୍ଷରେ ସନରାଇଜର୍ସ ହାଇଦରାବାଦ୍‌ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୩ୟ ପରାଜୟ ବରଣ କରିଛି। ମୁମ୍ବଇ ପକ୍ଷରୁ ଧାର୍ଯ୍ୟ ୧୫୧ରନ ବିଜୟ ଲକ୍ଷ୍ୟକୁ ପିଛା କରି ସନରାଇଜର୍ସର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଉଭୟେ ୬ ଓଭର ପାୱର ପ୍ଳେ ରୁ ୫୭ରନ ସଂଗ୍ରହ କରିଥିଲେ। ସ୍କୋର ୬୭ରନ ଥିବାବେଳେ ବେୟାରଷ୍ଟୋ ୨୨ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୪୩ରନ କରି ଆଉଟ୍‌ ହୋଇଥିଲେ। ମାତ୍ର ୪ରନ ବ୍ୟବଧାନରେ ହାଇଦରାବାଦ୍‌ ୨ୟ ୱିକେଟ ହରାଇଥିଲା। ଇନ୍‌ଫର୍ମ ବ୍ୟାଟ୍‌ସମ୍ୟାନ ମନୀଷ ପାଣ୍ଡେ ମାତ୍ର ୨ରନ କରି ରାହୁଲ ଚହରଙ୍କ ବଲରେ ଆଉଟ୍‌ ହୋଇଥିଲେ। ୯୦ରନରେ ତୃତୀୟ ୱିକେଟର ପତନ ଘଟିଥିଲା। ୱାର୍ଣ୍ଣର ୩୭ରନ କରିଥିବାବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଥ୍ରୋରେ ରନ୍‌ଆଉଟ୍‌ ହୋଇଥିଲେ। ୱାର୍ଣ୍ଣରଙ୍କ ଆଉଟ୍‌ ପରେ ମ୍ୟାଚକୁ ମୁମ୍ବଇ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଥିଲା। ହାଇଦରାବାଦ୍‌ ୧୩.୪ ଓଭରରେ ୧୦୦ରନ ପୂରଣ କରିଥିଲା। ଦଳକୁ ୩୮ଟି ବଲରେ ୫୧ରନ ଆବଶ୍ୟକ ଥିବାବେଳେ ୧୫ ତମ ଓଭରରେ ରାହୁଲ ଚହର ବିରାଟ ସିଂହ ୧୧ ଓ ଅଭିଷେକ ଶର୍ମା ୨ଙ୍କୁ ଆଉଟ୍‌ କରି ମ୍ୟାଚର ପଟ ପରିବର୍ତ୍ତନ କରିଥିଲେ। ଦଳ ୧୯.୪ ଓଭରରେ ୧୩୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିଜୟ ଶଙ୍କର ୨୮, ଅବଦୁଲ ସାମଦ ୭, ଭୁବନେଶ୍ବର କୁମାର ୧ରନ କରିଥିଲେ। ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ରାହୁଲ ଚହର ୧୯ରନ ଦେଇ ୩ଟି, ଟ୍ରେଣ୍ଟ ବୋଲ୍ଟ ୩ଟି , କ୍ରୁନାଲ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍‌ରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ରୋହିତ ଶର୍ମା ଓ କ୍ବାଣ୍ଟେନ ଡିକକ୍‌ ଆକ୍ରମଣାତ୍ମକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଉଭୟେ ପାୱାର ପ୍ଲେ ୬ ଓଭରର ଭରପୁର ଫାଇଦା ଉଠାଇ ବିନା ୱିକେଟରେ ୫୩ରନ ସଂଗ୍ରହ କରିଥିଲେ। ମୁମ୍ବଇ ଭଲ ଆରମ୍ଭ କରିଥିଲେ ମଧ୍ୟ ବିଜୟ ଶଙ୍କର ଦୁଇ ଓଭରରେ ଦୁଇଟି ୱିକେଟ ନେଇ ସନ୍‌ରାଇଜର୍ସକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ। ଦଳୀୟ ସ୍କୋର ୫୫ରନ ଥିବାବେଳେ ରୋହିତ ୨୫ଟି ବଲରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୩୨ରନ କରି ବିଜୟ ଶଙ୍କରଙ୍କ ବଳରେ ଅାଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୬ରନ ଯୋଗ କରିଥିଲେ। ସ୍କୋର ୭୧ନ ଥିବାବେଳେ ସୂର୍ଯ୍ୟକୁମାର ଗୋଟିଏ ଛକା ଓ ଗୋଟିଏ ଚୌକା ସହ ୧୦ରନ କରି ବିଜୟ ଶଙ୍କରଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଦଳ ୧୦ ଓଭରରୁ ଦୁଇ ୱିକେଟ ହରାଇ ୭୫ରନ କରିଥିଲା। ତୃତୀୟ ୱିକେଟ​‌େ​‌ର ଡିକକ୍‌ ଓ ଇଷନ କିଷନ ୨୭ରନ ଯୋଗ କରିଥିଲେ। ୯୮ରନ ସ୍କୋର ଥିବାବେଳେ ଡିକକ୍‌ ୩୯ଟି ବଲରୁ ୫ଟି ଚୌକା ସହ ୪୦ରନ କରି ଆଉଟ୍‌ ହୋଇଥିଲେ। ମୁମ୍ବଇ ୧୪.୨ ଓଭରରୁ ୧୦୦ରନ ପୂରଣ କରିଥିଲା। ଶେଷ ୩୪ଟି ବଲରୁ ଦଳ ୫୦ରନ ସଂଗ୍ରହ କରିଥିଲା। ଇଷନ ଧିମା ବ୍ୟାଟିଂ କରି ୨୧ଟି ବଲରୁ ୧୨, ହାର୍ଦିକ ପାଣ୍ଡ୍ୟା ୭ ରନ କରି ଆଉଟ୍‌ ହୋଇଥିଲେ। କିରନ ପୋଲାର୍ଡଙ୍କ ୨୨ବଲରୁ ୩ ଛକା ଓ ଗୋଟିଏ ଚୌକା ସହ ଅପରାଜିତ ୩୫ରନ ସହାୟତାରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୫୦ରନ କରିଥିଲା। ସନରାଇଜର୍ସ ହାଇଦରାବାଦ୍‌ ପକ୍ଷରୁ ବିଜୟ ଶଙ୍କର,ମୁଜିବ୍‌ ଉର୍‌ ରହମାନ ଦୁଇଟି ଲେଖାଏଁ ଓ ଖଲିଲ୍‌ ଅହମ୍ମଦ ଗୋଟିଏ ୱିକେଟ ନେଇଥିଲେ। ମୁମ୍ବଇ ୩ଟି ମ୍ୟାଚରୁ ୨ ବିଜୟ ଓ ୧ଟି ପରାଜୟ ସହ ୪ପଏଣ୍ଟ ଓ ସନରାଇଜର୍ସ ହାଇଦରାବାଦ୍‌ ୩ଟି ମ୍ୟାଚରୁ ପଏଣ୍ଟ ଖାତା ଖୋଲି ପାରିନାହିଁ।

Comments are closed.