ପ୍ଲେଅଫ୍‌ ଲକ୍ଷ୍ୟ​ରେ ମୁମ୍ବଇ-ଆର୍‌ସିବି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ବୁଧବାର ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁମୁହିଁ ହେବେ। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚରୁ ସମାନ ପଏଣ୍ଟ ହାସଲ କରିଥିବାରୁ ବିଜୟ ସହ ପ୍ଳେଅଫ ସ୍ଥାନ ପକ୍କା ନେଇ ଲକ୍ଷ୍ୟ ରଖିଛନ୍ତି।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୧୧ଟି ମ୍ୟାଚରୁ ୭ଟି ବିଜୟ, ୪ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳ ହାତରେ ଆଉ ୩ଟି ଲିଗ୍‌ ମ୍ୟାଚ ବାକି ରହିଥିବାବେଳେ ପ୍ଳେ ଅଫ ନେଇ ଗୋଟିଏ ଏକାନ୍ତ ବିଜୟ ଆବଶ୍ୟକତା ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିିତିରେ ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିବାବେଳେ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ଦୟନୀୟ ପରାଜୟ ବରଣ କରିଥିଲା। ବ୍ୟାଟିଂରେ କ୍ବାଣ୍ଟେନ ଡିକକ୍‌ ଚମତ୍କାର ଫର୍ମରେ ରହିଥିବାବେଳେ ଇଶାନ କିଷନ, ସୂର୍ୟ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ ପୋଲାର୍ଡ ମଧ୍ୟ ଫର୍ମରେ ରହିଛନ୍ତି। ବୋଲିଂରେ ଦୁଇ ଫାଷ୍ଟ ବୋଲର ଯଶପ୍ରିତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ସହିତ ସ୍ପିନ ବିଭାଗରେ ରାହୁଲ ଚହର ଓ କ୍ରୃନାଲ ପାଣ୍ଡ୍ୟା​‌ ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରଥମ ରାଉଣ୍ଡ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ସୁପରଓଭରରେ ପରାଜିତ ହୋଇଥିଲା। ଦଳ ରିଟର୍ଣ୍ଣ ମ୍ୟାଚରେ ଆରସିବିକୁ ପରାସ୍ତ କରିବା ନେଇ ଲକ୍ଷ୍ୟ ରଖିଛି। ସେହିପରି ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୧ଟି ମ୍ୟାଚରୁ ୭ଟି ବିଜୟ ଓ ୪ଟି ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଦଳ ପ୍ଳେ ଅଫ ପ୍ରବେଶ ନିଶ୍ଚିତ କରିବା ନେଇ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ ଉପରେ ନଜର ରଖିଛି। ଅଧିନାୟକ ବିରାଟଙ୍କ ସମେତ ଏ.ବି ଡିଭିଲିୟର୍ସ, ଦେବଦତ୍ତ ପାଡ଼ିକଲ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ କ୍ରିସ ମୋରିସ୍, ନବଦୀପ୍‌ ସଇନି ଓ ମହମ୍ମଦ ସିରାଜ୍‌ ଓ ଯୁଜୁବେନ୍ଦ୍ର ଚହଲ ମଧ୍ୟ ଭଲ ବୋଲିଂ କରୁଛନ୍ତି। ଦଳ ଆଉ ୩ଟି ଲିଗ୍‌ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ, ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଖେଳିବ। ଏଥିମଧ୍ୟରୁ ଅତି କମ୍‌ରେ ଗୋଟିଏ ବିଜୟ ଦଳକୁ ପ୍ଲେ ଅଫ ପ୍ରବେଶ ନିଶ୍ଚିତ କରିବ। ଏଥିପାଇଁ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ ବିଜୟ ଉପ​ରେ ଗୁରୁତ୍ବ ଦେଇଛି।

Comments are closed.