ରୋହିତଙ୍କ ୮୦ ; କଲକାତାକୁ ୪୯ ରନରେ ହରାଇଲା ମୁମ୍ବଇ

ଆବୁଧାବି : ଚଳିତ ଆଇପିଏଲ୍‍ର ୫ମ ମ୍ୟାଚ୍‍ରେ ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‍ସ। ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‍ରେ କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)କୁ ୪୯ ରନ୍‍ରେ ମୁମ୍ବଇ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ୮୦ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୪୭ ରନ୍‍ ବଳରେ ମୁମ୍ବଇ ଇଣ୍ଡିଆନ୍‍ସ ୨୦ ଓଭର ଶେଷରେ ୫ ୱିକେଟରେ ୧୯୫ ରନ୍‍ କରିଥିଲା। ପରେ ୧୯୬ ରନ୍‍ ଲକ୍ଷ୍ୟରେ କେକେଆର୍‍ ୯ ୱିକେଟ ହରାଇ ୧୪୬ ରନ୍‍ କରି ପାରିଥିଲା। ପରାଜୟ ସହ କେକେଆର୍‍ ଆଇପିଏଲ୍‍-୧୩ରେ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ ୨ୟ ମ୍ୟାଚ୍‍ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବଇ। ଟସ୍‍ ଜିତି କଲକାତା ନାଇଟ୍‍ ରାଇଡର୍ସ ଫିଲ୍‍ଡିଂ ନେଇଥିଲା। ୨ୟ ଓଭରରେ ମୁମ୍ବଇର ଓପ୍‍ନର କ୍ୱିଣ୍ଟନ୍‍ ଡି କକ୍‍ ୧ ରନ୍‍କରି ଆଉଟ ହୋଇଥିଲେ। ୩ୟ ଓଭରରୁ ରୋହିତ ଶର୍ମାଙ୍କ ବ୍ୟାଟ୍‍ ଚାଲିଥିଲା। ସୂର୍ଯ୍ୟକୁମାର ଯାଦବ ମଧ୍ୟ ରନ୍‍ଭୋଜିରେ ମାତିଥିଲେ। ରୋହିତଙ୍କ ଅପେକ୍ଷା ସୂର୍ଯ୍ୟକୁମାର ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ୬ ଓଭରର ପାୱରପ୍ଲେ ଶେଷରେ ମୁମ୍ବଇ ୧ ୱିକେଟରେ ୫୯ ରନ୍‍ କରିଥିଲା। ୨ୟ ୱିକେଟ୍‍ ପାଇଁ ରୋହିତ ଶର୍ମାଙ୍କ ସହ ଦ୍ରୁତ ୯୦ ରନ୍‍ ଯୋଗକରିବା ପରେ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ମାତ୍ର ୨୮ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୭ ରନ୍‍ କରିଥିଲେ। ୧୨ଶ ଓଭରରେ ସର୍ବାଧିକ ୪ ଥର ଚମ୍ପିଆନ୍‍ ମୁମ୍ବଇ ଶହେ ରନ୍‍ରେ ପହଞ୍ଚିଥିଲା। ସୂର୍ଯ୍ୟକୁମାରଙ୍କ ବିଦାୟ ପରେ ମଧ୍ୟ ରୋହିତ ଓ ସୌରଭ ତିୱାରୀ ଦ୍ରୁତ ରନ୍‍ ସ୍କୋର୍‍କରିବା ଜାରି ରଖିଥିଲେ। ୩ୟ ୱିକେଟ ପାଇଁ ଦୁହେଁ ୨୬ ବଲ୍‍ରେ ୪୯ ରନ୍‍ ଯୋଡ଼ିଥିଲେ। ଝାଡ଼ଖଣ୍ଡର ବାମହାତି ସୌରଭ ୧୩ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରୋହିତ ୪ର୍ଥ ୱିକେଟ ପାଇଁ ଦ୍ରୁତ ୩୦ ରନ୍‍ ଯୋଡ଼ିଥିଲେ। ରୋହିତ ୫୪ ବଲ୍‍ରୁ ୬ଟି ଛକା ଓ ୩ଟି ଚୌକା ସହ ୮୦ ରନ୍‍ କରିଥିଲେ। ହାର୍ଦ୍ଦିକ ୧୩ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‍ କରିଥିଲେ। ଶେଷ ୨ ଓଭରରୁ ମାତ୍ର ୧୭ ରନ୍‍ ହୋଇଥିଲା। ଶିବମ୍‍ ମାଭି ୨ଟି ୱିକେଟ ନେଇଥିଲେ। ବିପର୍ଯ୍ୟୟ ସହ କଲକାତା ନାଇଟ୍‍ ରାଇଡର୍ସ ଇନିଂସ ଆରମ୍ଭ କରିଥିଲା। ୬ ଓଭରର ପାୱରପ୍ଲେ ଶେଷରେ କେକେଆର୍‍ ୩୩ ରନ୍‍ କରିଥିଲା ଏବଂ ଉଭୟ ଓପ୍‍ନରଙ୍କୁ ମଧ୍ୟ ହରାଇଥିଲା। କେକେଆର୍‍ ନିୟମିତ ଭାବେ ୱିକେଟ ହରାଇ ଚାଲିଥିଲା ଏବଂ ଏହାର ଆବଶ୍ୟକ ରନ୍‍ହାର ବଢ଼ି ଚାଲିଥିଲା। କମିନ୍‍ସ ୧୨ ବଲ୍‍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୩ ରନ୍‍ କରିଥିଲେ। ଟ୍ରେଣ୍ଟ୍‍ ବୋଲ୍‍ଟ, ରାହୁଲ ଚହର, ଯଶ୍ରପୀତ ବୁମ୍‍ରା ଓ ଜେମ୍‍ସ ପ୍ୟାଟିନ୍‍ସନ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.