ଜେଏନୟୁ ପ୍ରଶାସନ ଓ ବିଦ୍ୟାର୍ଥୀଙ୍କ ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବଙ୍କ ଆଲୋଚନା

ଛାତ୍ରାବାସ ସେବା ଓ ଉପଯୋଗିତା ଶୁଳ୍କ ପ୍ରତ୍ୟାହାର ନିଷ୍ପତ୍ତି

-ଶୁଳ୍କ ଖର୍ଚ୍ଚ ବହନ ଲାଗି ୟୁଜିସିକୁ ଅନୁରୋଧ
-ଆନ୍ଦୋଳନ ପ୍ରତ୍ୟାହାର ଲାଗି ଛାତ୍ରଛାତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ :  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଜଗଦୀଶ କୁମାର, ରେଜିଷ୍ଟ୍ରାର ଓ ବରିଷ୍ଠ ଅଧ୍ୟାପକମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିଥିଲେ। ଏହାପରେ ସେ ଛାତ୍ର ସଂସଦ ସଭାପତି ସୁଶ୍ରୀ ଐଶୀ ଘୋଷଙ୍କ ନେତୃତ୍ୱରେ ଜେଏନୟୁର ଏକ ଛାତ୍ର ପ୍ରତିନିଧି ଦଳଙ୍କ ସହିତ ଆଲୋଚନା କରିଥିଲେ।

ଗତ ଡିସେମ୍ବର ୧୦ ଓ ୧୧ ତାରିଖରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରଣାଳୟର ସଚିବଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ କରାଇଥିଲେ । କୁଳପତି ପ୍ରଫେସର ଜଗଦୀଶ କୁମାର ଦର୍ଶାଇଥିଲେ ଯେ ଛାତ୍ରଛାତ୍ରୀଙ୍କ ଠାରୁ ଛାତ୍ରାବାସର ସେବା ଏବଂ
ଉପଯୋଗିତା ଶୁଳ୍କ ଆଦାୟ କରାଯିବ ନାହିଁ। ଏ ସଂକ୍ରାନ୍ତରେ ଗତ ୯ ତାରିଖରେ ଏକ ସର୍କୁଲାର ଜାରି କରାଯାଇସାରିଛି। ଏହି ଶୁଳ୍କ ବହନ କରିବା ଲାଗି ୟୁଜିସିକୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟର ସଚିବଙ୍କ ସହିତ ଆଲୋଚନା ସମୟରେ ଛାତ୍ରଛାତ୍ରୀଙ୍କ ଏ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି।
ୟୁଜିସିର ଅଧ୍ୟକ୍ଷ ଡ. ଡିପି ସିଂଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ମାନବ ସମ୍ବଳ ବିକାଶ ସଚିବ ଆଲୋଚନା କରିଥିଲେ । ଏ ସଂକ୍ରାନ୍ତରେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ୟୁଜିସିକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଚିବ ଶ୍ରୀ ଅମିତ ଖାରେ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ଲାଗି ନିବେଦନ କରିଥିଲେ।

 

Comments are closed.