ଆଇଏଏସ୍‌ ଦମ୍ପତିଙ୍କୁ ଅଲଗା ଅଲଗା ସ୍ଥାନକୁ ବଦଳି

କୁକୁର ବୁଲିବା ଲାଗି ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ବନ୍ଦ ପ୍ରସଙ୍ଗ

ନୂଆଦିଲ୍ଲୀ  : ଦିଲ୍ଲୀର ସରକାରୀ ପରିଚାଳିତ ତ୍ୟାଗରାଜ ଷ୍ଟାଡିୟମରେ ଆଇଏଏସ୍ ଦମ୍ପତି ସଞ୍ଜୀବ ଖୀରୱାର ଓ ରିଙ୍କୁ ଧୁଗାଙ୍କ ପତିଆରା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟାଡିୟମ୍‌ରେ ଜାତୀୟ ଓ ରାଜ୍ୟସ୍ତରର ଖେଳାଳିମାନେ ନିମୟିତ ଅଭ୍ୟାସ କରିଥାନ୍ତି। ଏହି ଆଇଏଏସ୍ ଦମ୍ପତି ନିଜ କୁକୁରକୁ ବୁଲାଇବା ଲାଗି ଏଠାକୁ ନିୟମିତ ଆଣିଥାନ୍ତି। ଖୀରୱାର ଦିଲ୍ଲୀ ସରକାରଙ୍କ ରାଜସ୍ବ ବିଭାଗ ସଚିବ ଅଛନ୍ତି। ଖୀରୱାର ନିଜ କୁକୁରକୁ ଷ୍ଟାଡିୟମରେ ବୁଲାଇବାକୁ ନେଉଥିବାରୁ ଖେଳାଳିମାନଙ୍କ ଅଭ୍ୟାସକୁ ଅଧାରୁ ବନ୍ଦ କରିବାକୁ ପଡିଥାଏ। ପିଲାମାନେ ରାତି ପ୍ରାୟ ୮ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିଥାନ୍ତି। ମାତ୍ର ଖୀରୱାର ନିଜ କୁକୁରକୁ ବୁଲାଇବାକୁ ଆଣୁଥିବାରୁ ପିଲାମାନଙ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ଅଭ୍ୟାସ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏ ସମ୍ପର୍କରେ ଖେଳାଳି ଓ ପ୍ରଶିକ୍ଷକମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଖୀରୱାରଙ୍କ ପତିଆରା ନିକଟରେ ଏହା କାର୍ଯ୍ୟ କରି ନଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହସ୍ତକ୍ଷେପ କରିଛନ୍ତି। ଦିଲ୍ଲୀ ସରକାର ସମସ୍ତ କ୍ରୀଡା ପ୍ରତିଷ୍ଠାନଗୁଡିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପକରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖୀରୱାରଙ୍କୁ ଲଦାଖ ଓ ତାଙ୍କ ପତ୍ନୀ ରିଙ୍କୁଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରିଛି।

Comments are closed.