କେନ୍ଦ୍ର ନିଷ୍ପତ୍ତି: ଶ୍ରମିକ, ଛାତ୍ର ଓ ପର୍ଯ୍ୟଟକଙ୍କ ଆନ୍ତଃରାଜ୍ୟ ଗମନାଗମନକୁ ମିଳିଲା ଅନୁମତି

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଜି ଦେଶର ବିଭିନ୍ନ ଅଂଚଳରେ ଲକ ଡାଉନ ଯୋଗୁ ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନଙ୍କ ନିଜ ଅଂଚଳକୁ ଫେରିବା ବାଟ ସହଜ କରିଛନ୍ତି। ଏ ସମ୍ପର୍କରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ମୁଖପାତ୍ର ଆନ୍ତଃରାଜ୍ୟ ଯାତ୍ରାକୁ ଅନୁମତି ପ୍ରସଙ୍ଗରେ ବିସ୍ତୃତ ତଥ୍ୟ ଦେଇଛନ୍ତି।

ଏ ନେଇ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ନୋଡାଲ୍ କର୍ତ୍ତୃପକ୍ଷ ନିଯୁକ୍ତ କରିବା ସହ ଅଟକି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଆଣିବା ଏବଂ ଅନ୍ୟ ରାଜ୍ୟକୁ ପଠାଇବା ପାଇଁ ମାନକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପ୍ରସ୍ତୁତ କରିବେ। ବିଜ୍ଞପ୍ତିରେ କୁହାଯାଇଛି ଯେ ନୋଡାଲ୍ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଫସି ରହିଥିବା ଲୋକଙ୍କୁ ପଞ୍ଜୀକୃତ କରିବେ। ସେହିପରି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯଦି ଅନ୍ୟ ରାଜ୍ୟକୁ ଯିବାକୁ ଚାହୁଁଥାନ୍ତି, ସେ କ୍ଷେତ୍ରରେ ଉଭୟ ରାଜ୍ୟ ଆଲୋଚନା କରି ସଡକ ପଥରେ ସେମାନଙ୍କ ଗମନାଗମନ ନିଶ୍ଚିତ କରିବେ। ମନ୍ତ୍ରଣାଳୟ କହିଛି ଯେ ପରିବହନ ପାଇଁ କେବଳ ବସ୍ ବ୍ୟବହାର କରାଯିବ। ବସଗୁଡିକୁ ସାନିଟାଈଜ କରାଯିବା ସହ ସାମାଜିକ ଦୂରତା ନୀତି କଡାକଡି ଭାବେ ପାଳନ କରାଯିବ। ବସରେ ଯିବାକୁ ଥିବା ବ୍ୟକ୍ତିମାନଙ୍କୁ ପରୀକ୍ଷା କରାଯିବ ଏବଂ କୌଣସି ଲକ୍ଷଣ ନ ଥିଲେ ଯିବାକୁ ଅନୁମତି ଦିଆଯିବ।

ଅନ୍ୟପକ୍ଷରେ ସମ୍ପୃକ୍ତ ଯାତ୍ରୀମାନେ ପହଂଚିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବେ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୧୩ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ସଂକ୍ରମଣ ମାମଲା ୩୧ ହଜାର ୭୮୭କୁ ବୃଦ୍ଧି ପାଇଛି।

Comments are closed.