ମହାରାଷ୍ଟ୍ରରୁ ଫେରିବେ ଓଡ଼ିଆ ଶ୍ରମିକ: ନବୀନ-ଧର୍ମେନ୍ଦ୍ର-ଉଦ୍ଧବ ଆଲୋଚନା

ଭୁବନେଶ୍ବର (ବ୍ୟୁରୋ) ମହାରାଷ୍ଟ୍ରରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରବିବାର ଭିଡ଼ିଓ କନ୍ଫରେନ୍ସିଂରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହାରାଷ୍ଟ୍ର ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍.ବାଲାକ୍ରିଷ୍ଣନ ଓ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ମଧ୍ୟ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ । ମହାରାଷ୍ଟ୍ରରେ ଅଟକିଥିବା ଓଡ଼ିଆଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ସେମାନଙ୍କୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ଆଗ୍ରହ ନବୀନ ବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କୁ ‘ସଡ଼କ ଟିକସ’(ରୋଡ଼୍ ଟ୍ୟାକ୍ସ) ଛାଡ଼ କରିବାକୁ ଅନୁରୋଧ କରିଛନ୍ତି । ଏହାପରେ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରରେ ଆଲୋଚନା କରାଯାଇ ଏ ସମ୍ପର୍କରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ଓଡ଼ିଆମାନେ ମହାରାଷ୍ଟ୍ରରୁ ଫେରି ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ବସ୍ ଯୋଗେ ଫେରାି ଆଣିବାର ବ୍ୟବସ୍ଥା ହେବ । ଏହାବ୍ୟତୀତ ଅନ୍ୟ ପରିବହନ ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ । ଓଡ଼ିଶା ଫେରିବାକୁ ଚାୁଁଥିବା ସବୁ ବ୍ୟକ୍ତିଙ୍କ ପଞ୍ଜିକରଣ ବାଧ୍ୟତାମୂଳକ ଓ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ସେମାନେ ଓଡ଼ିଶା ଫେରିବା ପରେ କ୍ବାରେଣ୍ଟାଇନରେ ରହିବା ସହ ଅନ୍ୟାନ୍ୟ ସୁବିଧା ପାଇପାରିବେ । ମହାରାଷ୍ଟ୍ରରୁ ଶ୍ରମିକଙ୍କୁ ନେଇ ଫେରନ୍ତା ବସ୍ ଉପରେ ସମସ୍ତ ଟିକସ ଛାଡ଼ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ରୋଡ଼୍ ଟ୍ୟାକ୍ସ ଛାଡ଼ ନିମନ୍ତେ ଅନୁରୋଧ କରାଯିବାକୁ ନିଷ୍ପତ୍ତି ହୋଇଛି । ମହାରାଷ୍ଟ୍ରରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ଉଭୟ ରାଜ୍ୟର ସରକାର ସମନ୍ବୟ ରଖି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି ।

Comments are closed.