ଗଭୀର କୂଅ ଖୋଳିବାର ଦେଢ ବର୍ଷପରେ ମଧ୍ୟ ଚାଷୀଙ୍କୁ ମିଳିଲାନି ଅର୍ଥ

ଚାଷୀ ବିଡିଓଙ୍କ ଦ୍ୱାରସ୍ଥ

ଝୁମ୍ପୁରା : ଝମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତ ଅନ୍ଧାରୀଖମଣ ଗ୍ରାମର ଜଣେ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ସରକାର ପକ୍ଷରୁ ମନରେଗା ଯୋଜନାରୁ ମିଳୁଥିବା ଅର୍ଥରେ ଚାଷ ଜମିରେ ଗଭୀର କୂଅ ଖୋଳିଛନ୍ତି। କୂଅ ଖୋଳିବାର ଦେଢ ବର୍ଷ ବିତିଗଲା ତଥାପି ଚାଷୀଙ୍କୁ ଅର୍ଥ ନମିଳିବାରୁ ଚାଷୀ ଶେଷରେ ଏହାର ସମାଧାନ ପାଇଁ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।

ଅନ୍ଧାରୀଖମଣ ଗ୍ରାମର ଚାଷୀ ପୁଷ୍ପକ ମହାନ୍ତ ବିଡିଓଙ୍କ ପାଖରେ କରିଥିବା ଲିଖିତ ଅଭିଯୋଗରୁ ଜଣାଯାଏ ଯେ ମନରେଗା ଯୋଗନାରେ ଚାଷୀଙ୍କୁ ଗଭୀର କୂଅ ଖୋଳିବା ପାଇଁ ସରକାର ୬୫ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ସେହି ଅର୍ଥରେ ଚାଷୀ ଜଣଙ୍କ ତା’ ବିଲରେ ଚାଷ କରିବା ପାଇଁ କୂଅ ଖୋଳିଥାଏ। ତେବେ କୂଅ ଖୋଳିବାର ଆଜକୁ ଦେଢ ବର୍ଷ ବିତିଗଲା ପରେ ମଧ୍ୟ ତାଙ୍କୁ ପ୍ରଶାସନ ଅର୍ଥ ଯୋଗାଇ ଦେବାରେ ବିଫଳ ହୋଇଛି। ଚାଷୀ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇ ପଡିଲେ ତଥାପି ବିଭାଗ ଠାରୁ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗଭୀର କୂଅ ଖୋଳିବାର ଅର୍ଥ ପ୍ରଦାନ କରିବା ନିମନ୍ତେ ପ୍ରଶାସନର ବିଭାଗୀୟ ଯନ୍ତ୍ରୀ ଏବଂ ମନରେଗା ଅଧିକାରୀଙ୍କୁ କାକୁତି ମିନତୀ ହୋଇ ଅନୁରୋଧ କରିଥିଲେ। ଅଧିକାରୀ ମାନେ ଚାଷୀଙ୍କୁ ବାରମ୍ବାର ହଇରାଣ କରିବାରୁ ଚାଷୀ ନିରୁପାୟ ହୋଇ ଶେଷରେ ବିଡିଓଙ୍କୁ ସାକ୍ଷାତ କରି ଅଭିଯୋଗ ପ୍ରଦାନ କରିଥିଲେ। ବିଡିଓ ଅଭିଯୋଗ ପାଇବା ପରେ ୨ ଦିନ ମଧ୍ୟରେ ଅର୍ଥ ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କୁ ଗଭୀର କୂଅ ଖୋଳିବାର ବିଲ୍ ପ୍ରଦାନ କରିବାରେ କାହିଁକି ବିଳମ୍ବ ହେଉଛି ବୋଲି ଝୁମ୍ପୁରା ବ୍ଲକ କନିଷ୍ଠ ଯନ୍ତ୍ରୀ ଫିଲିପ୍ସ ମହାନ୍ତଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହନ୍ତି କାଗଜ ପତ୍ର ପ୍ରସ୍ତୁତ ସରିଯାଇଛି ଦୁଇ ଦିନ ମଧ୍ୟରେ ଚାଷୀ ତାଙ୍କ ଅର୍ଥ ପାଇଯିବେ ବୋଲି କହିଛନ୍ତି । ଚାଷ କରିବା ପାଇଁ ଗଭୀର କୂଅ ଖୋଳିଥିବା ଗରିବ ଚାଷୀଙ୍କୁ ପ୍ରଶାସନ ତୁରନ୍ତ ଅର୍ଥ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦେବାକୁ ଚାଷୀ ନିବେଦନ କରିଛନ୍ତି।

Comments are closed.