ବିକ୍ରି ହେବ ମେକ୍ସିକୋ ରାଷ୍ଟ୍ରପତିଙ୍କ ବିଳାସପୂର୍ଣ୍ଣ ବିମାନ

0

ମେକ୍ସିକୋ ସିଟି : ମେକ୍ସିକୋର ନୂଆ ରାଷ୍ଟ୍ରପତି ଆଣ୍ଡ୍ରିସ ମାନୁଏଲ ଲୋପେଜ ଓବ୍ରାଡୋ ତାଙ୍କ ପୂର୍ବସୁରୀଙ୍କ ବିଳାସପୂର୍ଣ୍ଣ ବୋଇଂ ୭୮୭-୮ ଡ୍ରିମ୍‍ଲାଇନର୍‍ ବିମାନ ବିକ୍ରି କରିବେ। ଏହି ବିମାନରେ ପୂର୍ବତନ ରାଷ୍ଟ୍ରପତି ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭ୍ରମଣ କରିଥିଲେ; କିନ୍ତୁ ଏହା ବିପୁଳ ବ୍ୟୟର ପ୍ରତୀକ ହୋଇଥିବାରୁ ନୂଆ ରାଷ୍ଟ୍ରପତି ଉପରୋକ୍ତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହିତ ଦେଶର ଦୁର୍ନୀତିଗ୍ରସ୍ତ ରାଜନେତାମାନେ ବ୍ୟବହାର କରୁଥିବା ସମସ୍ତ ବିମାନ ଓ ହେଲିକପ୍ଟର ବିକ୍ରି କରାଯିବ ବୋଲି ସେ ରାଷ୍ଟ୍ରପତି ଭାବେ ପ୍ରଥମ ଦିନ ବିତାଇବା ପରେ ଘୋଷଣା କରିଛନ୍ତି। ଏହି ବିମାନକୁ ୨୧୮ ନିୟୁତ ଡଲାର ମୂଲ୍ୟରେ ୨୦୧୨ରେ କିଣାଯାଇଥିଲା। ଏହା ୬୦ଟି ସରକାରୀ ବିମାନ ମଧ୍ୟରୁ ଅନ୍ୟତମ। ଏଥିରେ ରାଷ୍ଟ୍ରପତିଙ୍କ ପାଇଁ ବିଳାସମୟ ଶୟନ କକ୍ଷ ସହିତ ମାର୍ବଲ ଗାଧୁଆ ଘର ଓ ବହୁ ଅତ୍ୟାଧୁନିକ ସାମଗ୍ରୀ ରହିଛି। ନୂଆ ରାଷ୍ଟ୍ରପତି ସମସ୍ତ ୬୦ ବିମାନ ସହିତ ୭୦ଟି ହେଲିକପ୍ଟର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ସମୟରେ ବରିଷ୍ଠ ବାମପନ୍ଥୀ ନେତା ଓବ୍ରାଡୋ ସରକାରୀ ଅପବ୍ୟୟ ରୋକିବା ଉ​‌େ​‌ଦ୍ଦଶ୍ୟରେ ଏହି ବିମାନ ବିକ୍ରି ସହିତ ପୂର୍ବତନ ରାଷ୍ଟ୍ରପତିମାନଙ୍କ ପେନ୍‍ସନ ବ୍ୟବସ୍ଥା ବାତିଲ ଓ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ଦରମା ହ୍ରାସ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମଜାର ବିଷୟ ହେଉଛି; ଶନିବାର ଦାୟିତ୍ୱ ନେବା ପରେ ଓବ୍ରାଡୋ ଦୀର୍ଘ ୮ଦଶନ୍ଧି ଧରି ଦେଶର ରାଷ୍ଟ୍ରପତିଙ୍କ ନିବାସ ରହିଆସିଥିବା ‘ଲସ୍‍ ପିନୋସ୍‍’ରେ ପ୍ରବେଶ କରିବା ମାତ୍ରେ ସେଠାର ବସବାସ କରୁଥିବା ଲୋକେ ଘରର ଝରକା ଓ କାନ୍ଥ ଡେଇଁ ପଳାୟନ କରିଥିଲେ। ଲସ୍‍ ପିନୋସ୍‍ରେ ରହିବା ପାଇଁ ପୂର୍ବରୁ ମନା କରିଥିବା ନୂଆ ରାଷ୍ଟ୍ରପତି ଏହାକୁ ଏକ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବେ ବୋଲି ଘୋଷଣା କରିଛନ୍ତି।

Leave A Reply