‘ମି ଠୁ’ରେ ଫସିଥିବା ବ୍ୟକ୍ତିଙ୍କୁ ୟଶରାଜ ଷ୍ଟୁଡିଓ ମନା ; ଅନୁ ମଲ୍ଲିକ ମଧ୍ୟ ସାମିଲ

ମୁମ୍ବଇ : ଗତ ବର୍ଷ ବଲିଉଡ଼ରେ ହଇଚଇ ସୃଷ୍ଟି କରିଥିବା ‘ମି ଠୁ’ ଅଭିଯାନରେ ଫସିଥିବା ବ୍ୟକ୍ତିମାନଙ୍କ ପାଇଁ ୟଶରାଜ ଷ୍ଟୁଡିଓର ଦ୍ୱାର ବନ୍ଦ ରହିଛି। ସେମାନଙ୍କ ମଧ୍ୟରେ ଅନୁ ମଲ୍ଲିକ ମଧ୍ୟ ସାମିଲ ଅଛନ୍ତି। ୟଶରାଜ ଫିଲ୍ମସ ଷ୍ଟୁଡିଓ ଟିମ୍‍ ପକ୍ଷରୁ ପ୍ରକାଶ ଯେ, ଅନୁ ମଲ୍ଲିକଙ୍କୁ ୟଶରାଜ ଷ୍ଟୁଡିଓ ଭିତରକୁ ଯିବାପାଇଁ ନିଷେଧ କରାଯାଇଛି। ୟଶରାଜ ଫିଲ୍ମସ ଯୌନ ଉତ୍ପୀଡ଼ନ ମାମଲାରେ ଜଡ଼ିତ ବ୍ୟକ୍ତିମାନଙ୍କ ବିରୋଧରେ ଆଦୌ ଢିଲା ମନୋଭାବ ପୋଷଣ କରେ ନାହିଁ। ଗତ ବର୍ଷ ୟଶରାଜ ଫିଲ୍ମସ ନିଜ ବରିଷ୍ଠ କାର୍ଯ୍ୟକର୍ତ୍ତା ଆଶୀଷ ପଟେଲଙ୍କୁ ବାହାର କରି ଦେଇଥିଲେ। ତାଙ୍କ ବିରୋଧରେ ମଧ୍ୟ ଯୌନ ଉତ୍ପୀଡ଼ନର ଅଭିଯୋଗ ହୋଇଥିଲା। କେବଳ ଅନୁ ମଲ୍ଲିକ ନୁହେଁ ଆଲୋକ ନାଥ ଓ ସାଜିଦ ଖାନଙ୍କୁ ମଧ୍ୟ ୟଶରାଜ ଷ୍ଟୁଡିଓ ଭିତରକୁ ପ୍ରବେଶ କରିବାକୁ ନିଷେଧ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ‘ମି ଠୁ’ ମାଧ୍ୟମରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ତାଙ୍କୁ ସୋନୀ ଟିଭିର ଇଣ୍ଡିଆନ୍‍ ଆଇଡଲ୍‍ ଶୋ’ରୁ ବାହାର ହେବାକୁ ପଡ଼ିଥିଲା। ମାତ୍ର ଏବେ ଶୁଣିବାକୁ ମିଳୁଛି ଯେ ସୋନୀ ଟଭି ପୁଣି ଶୋ’ର ୧୧ତମ ସଂସ୍କରଣକୁ ତାଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି।

Comments are closed.