ସାହାରାରେ ମିଳିଲା ଉଲ୍‍କାପିଣ୍ଡ : ପୃଥିବୀଠାରୁ ବି ପୁରାତନ

ବେଙ୍ଗାଲୁରୁ : ସାହାରା ମରୁଭୂମିରୁ ମିଳିଛି ଏକ ଉଲ୍‍କାପିଣ୍ଡ। ଏହା ପୃଥିବୀଠାରୁ ପୁରାତନ ବୋଲି ଗବେଷକମାନେ କହିଛନ୍ତି। ଏହା ପାଖାପାଖି ୪.୬ ବିଲିଅନ ବର୍ଷ ପୁରୁଣା। ଆମେ ବାସକରୁଥିବା ପୃଥିବୀ ୪.୫୪ ବିଲିଅନ ବର୍ଷ ପୁରାତନ ବୋଲି ଗବେଷକମାନେ ମତ ଦେଉଛନ୍ତି। ସାହାରା ମରୁଭୂମିରେ ଏହି ଉଲ୍‍କା ପିଣ୍ଡକୁ ୨୦୨୦ ମେ’ ମାସରେ ଠାବ କରାଯାଇଥିଲା। ସାହାରାର ଆଲ୍‍ଜେରିଆ ପଟରେ ଏହି ଉଲ୍‍କା ପିଣ୍ଡ ଠାବ କରାଯାଇଥିଲା। ସେଥିପାଇଁ ଏହାର ନାମ ଇଆର୍‍ଜି ୦୦୨ (ଇସି ୦୦୨) ରଖାଯାଇଛି। ମହାକାଶରେ ସୂର୍ଯ୍ୟ ଅଥବା ଅନ୍ୟ କୌଣସି ନକ୍ଷତ୍ର ଚାରିପଟେ ନିଜ କକ୍ଷପଥରେ ଘୁରିବୁଲୁଥିବା ଏକ ବିଶାଳ ମହାଜାଗତିକ ପଦାର୍ଥରୁ ଏହା ବିଚ୍ୟୁତ ହୋଇ ପୃଥିବୀ ପୃଷ୍ଠକୁ ଖସିଥିବା ଅନୁମାନ କରାଯାଉଛି। କୁହାଯାଉଛି ଯେ ସୌର ମଣ୍ଡଳ ମାତ୍ର ୨ନିୟୁତ ବର୍ଷ ପୁରାତନ ହୋଇଥିବାବେଳେ ଏହାର ମୂଳ ଅଂଶ ହୁଏତ ଏକ ଗ୍ରହ ଭାବରେ ବିକାଶଲାଭ କରୁଥିଲା। ଫ୍ରାନ୍ସର ବ୍ରିଟାନେ ଅକ୍‍ସିଡେଣ୍ଟାଲେ ୟୁନିଭରସିଟିର ଜଁ-ଆଲିକ୍ସଙ୍କ ନେତୃତ୍ୱାଧୀନ ଏକ ଗବେଷକ ଦଳ ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରଖିଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ଏହି ଉଲ୍‍କାପିଣ୍ଡର ମୂଳ ଭାଗ ହୁଏତ କାଳକ୍ରମେ ନଷ୍ଟ ହୋଇଯାଇଥାଇପାରେ ଅଥବା ଏହା ସୂର୍ଯ୍ୟ ନିକଟରେ ରହିଥିବାରୁ ଅନ୍ୟ କୌଣସି ପଥୁରିଆ ଗ୍ରହ ସହିତ ବିଲୀନ ହୋଇଯାଇଥାଇପାରେ। ସାହାରାରୁ ମିଳିଥିବା ଉଲ୍‍କାପିଣ୍ଡର ଶରୀର ପଥୁରିଆ ଏବଂ ଦହନଶୀଳ। କେବଳ ସେତିକି ନୁହେଁ, ଏପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରୁ ଯେତିକି ଉଲ୍‍କାପିଣ୍ଡ ମିଳିଛି ସେସବୁ ତୁଳନାରେ ଏହି ଉଲ୍‍କାପିଣ୍ଡ ଦେଖିବାକୁ ସଂପୂର୍ଣ୍ଣ ଭିନ୍ନ। ଗବେଷକଙ୍କ ମତରେ ଏହା ଏକ ଅତ୍ୟନ୍ତ ପ୍ରାଚୀନ ପ୍ରୋଟୋପ୍ଲାନେଟ ଅଥବା ଅତି ପୁରାତନ ପଥୁରିଆ ଗ୍ରହର ଅଂଶବିଶେଷ ହୋଇଥାଇପାରେ, ଯାହା ମୂଳପିଣ୍ଡରୁ ଭାଙ୍ଗି ଅଲଗା ହୋଇଯାଇଛି। ଏଥିସହିତ ସେମାନଙ୍କ କହିବାକଥା ଯେ ଏହା ହୁଏତ ଅତିକମ୍‍ରେ ୧୨୨୦ ଡିଗ୍ରୀ ସେଲ୍‍ସିୟସ ଉତ୍ତପ୍ତ ଅବସ୍ଥାରେ ରହିଥିଲା ଏବଂ ତାହା ଶୀତଳ ଓ କଠିନ ହେବାକୁ ଅନ୍ୟୂନ ୧ଲକ୍ଷ ବଷଁ ଲାଗିଥିବ।

Comments are closed.