ମିଶନ ଜିରୋଏଫ କର୍ମଶାଳାର ଶୁଭାରମ୍ଭ

ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତା ପାଇଁ ୫ଟି ପ୍ରୟାସ

କଟକ :ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତା ଉଦ୍ଦେଶ୍ୟରେ ମିଶନ ଶୂନ ଏଫ(ମିଶନ ଜିରୋ ଏଫ) କର୍ମଶାଳାର ଏକ ବୈଠକ ଜିଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣରେ ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ସାର୍ଟିର୍ଫିକେଟ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିବାର ଲକ୍ଷ୍ୟରଖି ଜିଲା ପ୍ରଶାସନ ପକ୍ଷରୁ ଏହି ମିଶନ ଶୂନ ଏଫ୍‍(ମିଶନ ଜିରୋଏଫ୍‍) ନାମରେ ଏକ ଅଭିନବ ଶିକ୍ଷା ସରକାରଙ୍କ ଫାଇଭ୍‍-ଟି ପ୍ରକଳ୍ପ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ଜିଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମିଶନ ଶୂନ ଏଫ୍‍ରେ ଚଳିତ ହାଇସ୍କୁଲ ସାର୍ଟିର୍ଫିକେଟ ପରୀକ୍ଷାରେ ଉନ୍ନତି ଆଣିବା ପାଇଁ ସର୍ବଦା ପ୍ରୟାସ ଜାରି ରଖାଯିବା ଉପରେ ଗରୁତ୍ୱାରୋପ କରିଥିଲେ।
ପଞ୍ଚାୟତିରାଜ ଓ ପାନୀୟ ଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶିକ୍ଷା ବ୍ୟବସ୍ଥାରେ ଏହିଭଳି ପ୍ରୟାସରେ ସଫଳତା ଆଣିବା ପାଇଁ ଶିକ୍ଷକ ନିୟୋଜିତ କରିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଶନ ଶୂନ ଏଫ୍‍ର ଏକ ୱେବ୍‍ସାଇଟର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନର ସଫଳତା ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନେ ନୈତିକତାର ସହିତ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଡ.ପ୍ରମୋଦ କୁମାର ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ବେହେରା, ବିଧାୟକ ଇଂ ମହମ୍ମଦ ମୋକିମ, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜିଲା ମିଶନ ଶୂନ ଏଫର ପୃଷ୍ଠପୋଷକ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏହି ଅଭିଯାନର ସଫଳତା ନେଇ ଆଶାପ୍ରକାଶ କରିଥିଲେ। ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.