୩୬ଘଣ୍ଟା ପରେ ମୁକୁଳିଲେ ମେସ୍କୋ ଗ୍ରୁପ୍ର ସିଏମଡ଼ି ; ଶ୍ରମିକଙ୍କ ସମସ୍ୟା ନେଇ ୧୭ରେ ପୁନଃ ଆଲୋଚନା

ଯାଜପୁର : ଶ୍ରମିକମାନଙ୍କ ଦ୍ବାରା  ମଙ୍ଗଳବାରଠାରୁ ଅଟକ ଥିବା ମେସ୍କୋ ସିଏମଡ଼ି ୩୬ଘଣ୍ଟା ପରେ ମୁକୁଳିଛନ୍ତି। ବୁଧବାର ସନ୍ଧ୍ୟାରେ ଏସପିଙ୍କ ଉପସ୍ଥିତିରେ ସଜାଗ ରହିଥିବା ପୁଲିସ ମେସ୍କୋ ଗେଷ୍ଟ ହାଉସ୍ ସମ୍ମୁଖରେ ଧାରଣାରେ ବସିଥିବା ୪୦ ଜଣ ଶ୍ରମିକଙ୍କୁ ଉଠାଇ ନେବାପରେ ସିଏମଡ଼ିଙ୍କୁ ପୁଲିସ କର୍ଡ଼ନ ଭିତରେ ମୁକୁଳାଇ ଭୁବନେଶ୍ୱର ଅଭିମୁଖେ ନିଆଯାଇଛି । ତେବେ ଦୀର୍ଘ ୧୧ମାସ ହେଲା ଦରମା ନପାଇ ମେସ୍କୋ ଗେଷ୍ଟ ହାଉସ୍ ସମ୍ମୁଖରେ ଗତକାଲି ଠାରୁ ଧାରଣାରେ ବସିଥିବା ଶ୍ରମିକଙ୍କ ସହ ଜିଲା ପ୍ରଶାସନ ଏକାଧିକବାର ଆଲୋଚନା କରିଥିଲେ ହେଁ ଫଳପ୍ରଦ ହୋଇନଥିଲା । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଧାରଣାରେ ସାମିଲ ହୋଇ ଶ୍ରମିକଙ୍କ ଦାବିକୁ ସମର୍ଥନ ଜଣାଇଥିଲେ । ଜିଲା ପ୍ରଶାସନ ବିଧାୟକ ଶ୍ରୀ ଘଡ଼ାଇ ଏବଂ ଶ୍ରମିକ ପ୍ରତିିନିଧି, ମେସ୍କୋ ସିଏମଡ଼ି ରୀତା ସିଂହଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରିଥିଲେ । ଶ୍ରମିକ ପୟତିନିଧି ବାକିଆ ଥିବା ୧୧ମାସର ଦରମା ଦେବାକୁ ଦାବି କରିଥିଲେ । କିନ୍ତୁ ମେସ୍କୋ ସିଏମଡ଼ି ରୀତା ସିଂହ ୨୫ଲକ୍ଷ ଟଙ୍କା ଦିଆଯାଇଥିବା ଏବଂ ଚଳିତ ମାସରେ ଆଉକିଛି ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ଏହା ଶ୍ରମିକଙ୍କ ମାସକର ଦରମାକୁ ପାଉନଥିବାରୁ ଧାରଣାରୁ ହଟିବାକୁ ରାଜି ହୋଇନଥିଲେ । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡ଼ିଥିଲା ।

ସନ୍ଧ୍ୟା ପ୍ରାୟ ସାଢେ ୭ଟା ପରେ ଶ୍ରମିକ ଧାରଣାରେ ବସିଥିବା ବେଳେ ପୁଲିସ ଧାରଣା ସ୍ଥଳରେ ପହଁଞ୍ଚି ଶ୍ରମିକଙ୍କୁ ଥାନାକୁ ନେଇଯାଇଥିଲା । ପରେ ପରେ ପୁଲିସ କର୍ଡ଼ନରେ ମେସ୍କୋ ସିଏମଡ଼ିଙ୍କୁ ଗେଷ୍ ହାଉରୁ ବାହାରକୁ ଅଣାଯାଇଥିଲା । ତେବେ ଶ୍ରମିକଙ୍କ ଦାବି ଏବଂ ମୈଥାନ କାରଖାନା କାର୍ଯ୍ୟକ୍ଷମ ଉପରେ ଚଳିତ ମାସ ୧୭ତାରିଖରେ ପୁନଃ ଆଲୋଚନା କରାଯିବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୁଲିସର ଶ୍ରମିକଙ୍କୁ ଉଠାଇ ନେବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏଡ଼ିଏମ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଏସପି ଚରଣ ସିଂ ମିନା, କଳିଙ୍ଗନଗର ଅତିରକ୍ତ ଏସପି ରାଜ କିଶୋର ଦୋରା କଳିଙ୍ଗନଗର ଥାନା ଅଧିକାରୀ, ଯାଜପୁର ରୋଡ଼ ଥାନା ଅଧିକାରୀ, ଯଖପୁରା ଥାନା ଅଧିକାରୀଙ୍କ ସମେତ ପୁଲିସ ଟିମ୍ ଉପସ୍ଥିତ ରହିଥିଲେ । ଧାରଣାରେ ସାମିଲ ଥିବା ଜଣେ ଶ୍ରମିକ ଦେବେନ୍ଦ୍ରେ ଜେନା କିରାସିନ ଢାଳି ହୋଇ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ତାକୁ ସେଥିରୁ ନିବୃତ କରିଥିଲେ ।

Comments are closed.