ସେ ଦିନର ତାରାଟି

ବଡ଼ଦିନ ଉପଲକ୍ଷେ

ସୁଦୀର୍ଘ ୮୦୦ ବର୍ଷର ବ୍ୟବଧାନ ପରେ ମୁକ୍ତ ଆକାଶରେ ସାରା ପୃଥିବୀ ଏକ ତାରାକୁ ଏହି ବର୍ଷ ଡିସେମ୍ବର ମାସର ୨୧ ତାରିଖରେ ଦେଖିବ। ଆମେରିକା ରାଇସ୍‌ ବିଶ୍ବବିଦ୍ୟାଳୟର ଜ୍ୟୋର୍ତିବିଦ୍‌ ପ୍ୟାଟ୍ରିକ୍‌ ହ୍ରାଟିଗାନ୍‌ ଏ କରୋନା କାଳରେ ଏହି ତାରାଟିକୁ ଆବିଷ୍କାର କରିଛନ୍ତି, ଯେହେତୁ ଏ ତାରାଟି ଖ୍ରୀଷ୍ଟ ଜନ୍ମ ଜୟନ୍ତୀପାଳନ ଅବସରରେ ଆବିର୍ଭାବ ହୋଇଛି ଏହାକୁ ‘ଖ୍ରୀଷ୍ଟମାସ୍‌ ତାରା’ ନାମରେ ନାମିତ କରାଯାଇଛି। ସେଦିନ ବେଥଲିହିମର ଶୀତୁଆ ଆକାଶରେ ଯେଉଁ ତାରାଟି ସ୍ବର୍ଗ ଦୂତମାନଙ୍କର ସୁମଧୁର କଳଗୁଞ୍ଜନ ମଧ୍ୟରେ ଉଦ୍‌ଭାସିତ ହୋଇଥିଲା, ତାହା ଥିଲା ଏକ ମହାନ ଶିଶୁଙ୍କର ଜନ୍ମର ବାର୍ତ୍ତା। ସେ ତାରାଟି ସେଦିନ ତ ଉଦ୍‌ଭାସିତ ହୋଇଥିଲା ସତ, କିନ୍ତୁ ସେ ଯେଉଁ ବାର୍ତ୍ତା ବହନ କରି ଆସିଥିଲା ତାହା ଆଜି ମଧ୍ୟ ସାରା ଜଗତକୁ ଆନ୍ଦୋଳିତ କରି ଧରି ରଖିଛି। ସେଦିନର ଏହି ତାରା ସାରା ଜଗତକୁ ‘କରୁଣାମୟଙ୍କ’ର ଆଗମନର ସୁସମ୍ବାଦକୁ ପ୍ରକାଶିତ କରିଥିଲା। ଆଜିଦିନରେ ଯେପରି ​‌େ​‌ଜ୍ୟାର୍ତିବିଦ୍‌ମାନେ ଏକ ନୂତନ ତାରାର ଆଗମନରେ ଚଳଚଞ୍ଚଳ ଓ ଗବେଷଣାରତ, ସେ ସମୟର ମଧ୍ୟ ପଣ୍ଡିତ, ଜ୍ଞାନୀ ଜ୍ୟୋର୍ତିବିଦ୍‌ମାନେ ତାଙ୍କ ଦେଶର ପୂର୍ବ ଆକାଶରେ ଏକ ବ୍ୟତିକ୍ରମାତ୍ମକ ତାରାର ଆବିର୍ଭାବ ଦେଖି ଚମତ୍କୃତ ହେବା ସହିତ ହୋଇ ଉଠିଥିଲେ ଚଳଚଞ୍ଚଳ। ଆଜିର ଜ୍ୟୋର୍ତିବିଦ୍‌ ଗବେଷଣା କରି ତାରାଟିଏ ପାଇଛନ୍ତି ସତ କିନ୍ତୁ ଏ ‘କରୋନା’ କାଳର ତାରାକୁ ସେ ସମୟରେ ଉଦ୍‌ଭାସିତ ହୋଇଥିବା ‘କରୁଣାମୟଙ୍କର’ ତାରାର ଏକ ପ୍ରତୀକ କହି ‘ଖ୍ରୀଷ୍ଟମାସ୍‌ ଷ୍ଟାର’ ନାମରେ ନାମିତ କରି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ସେଦିନର ତାରା ଏକ ଭିନ୍ନ ତାରା ଥିଲା। ସେ ସମୟର ଜ୍ୟୋର୍ତିବିଦ୍‌ମାନେ ସେ ତାରା ଉପରେ ଗବେଷଣା କରି ତାହା ଏକ ମହାନ ବ୍ୟକ୍ତିଙ୍କର ଜନ୍ମର ବାର୍ତ୍ତାବହ ବୋଲି ଜାଣିପାରିଥିଲେ। ଏତିକିରେ ସେମାନଙ୍କର ଗବେଷଣା ସରିଯାଇ ନଥିଲା ସେମାନେ ଏହାର ଆବିର୍ଭାବ ସେ ସମୟର ଶାସ୍ତ୍ରର କଥନ ସହିତ କିପ୍ରକାର ମେଳ ଖାଉଛି ପରୀକ୍ଷା କରି ଦେଖିଥିଲେ। ସେ ସମୟରେ ଯିଶାୟ ଭାବବାଦିଙ୍କର ବାର୍ତ୍ତା, ‘କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ବଭାର ଥୁଆଯିବ, ପୁଣି ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ଅନନ୍ତ-କାଳୀନ ପିତା, ଶାନ୍ତି-ରାଜା ହେବ’ (ବାଇବଲ- ଯିଶାୟ ୯ ପର୍ବ ୬ପଦ) ଓ ପ୍ରଭୁ ଯିଶୁ ଜଗତକୁ ଶାନ୍ତି ଓ ପ୍ରେମର ବାର୍ତ୍ତାନେଇ ଆସିବେ ପୁଣି ଜଗତକୁ ପାପର ତିମିରରୁ ଉଦ୍ଧାର କରି ସତ୍ୟର ଆଲୋକ ମଧ୍ୟରେ ‘ପରିତ୍ରାଣ’ ପ୍ରଦାନ କରିବା ବିଷୟ ଅବଗତ ଥିବେ। ସେ ଯେ ଜଗତର ପାପର ଭାର ନିଜ ଉପରେ ବହନ କରି କ୍ରୁଶରେ ପ୍ରାଣଦାନ କରିବେ ଓ ମନୁଷ୍ୟକୁ ‘ଅନନ୍ତ ଜୀବନ’ର ଅଧିକାରୀ କରାଇବେ, (ଯିଶାୟ ୫୩:୭, ଯିଖରିୟ ୧୩.୭, ଦାଉଦଙ୍କ ଗୀତ ୨୨:୧୬) ପାଠ କରିଥିବେ ନିଶ୍ଚୟ। ସେମାନେ ଯେ କେବଳ ଆକାଶର ତାରା ଦେଖି ଏ ସମସ୍ତ କିଛି ଗଣନା ଦ୍ବାରା ଜାଣିପାରିଥିଲେ ତାହା ନୁହେଁ, ମାତ୍ର ସେମାନଙ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଣିଧାନଯୋଗ୍ୟ ହୋଇଥିଲା। ସେମାନେ ଶିଶୁ ଯିଶୁଙ୍କୁ ଭଜନା କରିବାକୁ ଯିବା ସହିତ ଯେଉଁ ତିନିଗୋଟି ଉପହାର ଭେଟି ସ୍ବରୂପେ ନେଇଥିଲେ ତାହାର ତାତ୍ପର୍ଯ୍ୟ ମଧ୍ୟ ସେମାନଙ୍କ ଜ୍ଞାନବନ୍ତ ଚିନ୍ତାର ପରିଚାୟକ ଥିଲା। ସେମାନେ ଯେଉଁ ଭେଟିଗୁଡ଼ିକ ନେଇଥିଲେ ସେଗୁଡ଼ିକ ଥିଲା ସୁନା, କୁନ୍ଦରୁ ଓ ଗନ୍ଧରସ। ସୁନା, ସେତେବେଳେ ରାଜାମାନଙ୍କୁ ଭେଟି ଦିଆଯାଉଥିଲା। ଶିବା ଦେଶର ରାଣୀ ଯେତେବେଳେ ଇସ୍ରାଏଲର ରାଜା ସଲୋମନ୍‌ଙ୍କୁ ଭେଟିବାକୁ ଯାଇଥିଲେ (ସେ) ପ୍ରଚୁର ହୀରମ୍‌ର ସୁନା ଭେଟି ରୂପେ ନେଇ ଯାଇଥିଲେ। (ପ୍ରଥମ ରାଜାବଳୀ ୧୦:୧୧)ଯିଶୁ ଯେତେବେଳେ ରାଜାମାନଙ୍କର ରାଜା ବୋଲି ଏ ପଣ୍ଡିତମାନେ ବିବେଚନା କଲେ ସେମା‌େ‌ନ ଭେଟି ଭାବରେ ଶିଶୁ ଯିଶୁଙ୍କୁ ‘ସ୍ବର୍ଣ୍ଣ’ ପ୍ରଦାନ କରିଥିଲେ। ସେ ସମୟରେ ‘କୁନ୍ଦରୁ’ର ଅର୍ଘ୍ୟ ପୂଜା ପାଇବାର ଯୋଗ୍ୟ ଯଥା ଦେବଦେବୀମାନଙ୍କୁ ଅର୍ପଣ କରାଯାଉଥିଲା ଆଉ ସେମାନଙ୍କ ମତରେ (ବିବେଚନାରେ) ଯିଶୁ ଯେ ପୂଜା ପାଇବାର ଯୋଗ୍ୟ ପ୍ରଭୁଥିଲେ ସେମାନେ ତାହା ଭେଟି ସ୍ବରୂପେ ନେଇ ଶିଶୁ ଯିଶୁଙ୍କୁ ପ୍ରଣାମ କରିଥିଲେ। ତୃତୀୟ ଭେଟିଟି ଥିଲା ଅତ୍ୟନ୍ତ ବିସ୍ମୟକର। ଯାହା ଥିଲା ମୃତ୍ୟୁର ପ୍ରତୀକ। ଆଜ ଦିନରେ ଯଦି କେହି (ସେ ଅତ୍ୟନ୍ତ ଜ୍ଞାନୀ ହୋଇପାରିଥାଆନ୍ତି ମଧ୍ୟ) କାହାର ଜନ୍ମ ଦିନରେ ମୃତ୍ୟୁର ଉପଢ଼ୌକନ ଯଥା- ଛୋଟ କଫିନ୍‌ଟିଏ, ଖଇ କଉଡ଼ି ଇତ୍ୟାଦି ନେଇ କୌଣସି ଜନ୍ମିତ ଶିଶୁଙ୍କୁ ଉପହାର ଦିଏ, ତେବେ ସେ ନିଶ୍ଚୟ ଦୃଢ଼ ଭାବରେ ସମାଲୋଚିତ ହେବା ସହିତ ଦଣ୍ଡିତ ମଧ୍ୟ ହେବ; କିନ୍ତୁ ସେ ସମୟର ଯେଉଁ ପଣ୍ଡିତମାନେ ‘ଗନ୍ଧରସ’ ନେଇ ଯାଇଥିଲେ ତାହା ମୃତବ୍ୟକ୍ତିର ଶରୀରରେ ପ୍ରଲେପ ଭାବେ ସେ ସମୟରେ ଲଗାଯାଉଥିଲା। ଆଉ ଏହାର କାରଣ ଥିଲା ଯେ ଯିଶୁ ମନୁଷ୍ୟ ରୂପରେ ଜନ୍ମ ନେଇଛନ୍ତି ସତ୍ୟ, କିନ୍ତୁ ପାପୀ ମାନବର ପରିତ୍ରାଣ ନିମ​‌ନ୍ତେ ଦୁଃଖ ଭୋଗ କରିବା ସହିତ ତିଳତିଳ ହୋଇ ହତ ହେବେ। ଇତିହାସ ପୃଷ୍ଠା ଲେଉଟାଇଲେ ଦେଖିବା ଯିଶୁ କିପରି କ୍ରୁଶରେ ହତ ହୋଇଥିଲେ ଓ ମୃତ୍ୟୁ ସମୟରେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଥିଲେ, ‘ପିତା ଏମାନଙ୍କୁ (ଯେଉଁମାନେ ତାଙ୍କୁ ହତ୍ୟା କରିଥିଲେ ବା ଯାତନା ପ୍ରଦାନ ପୂର୍ବକ ସେ କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କୁ) କ୍ଷମା କର, କାରଣ ସେମାନେ କ’ଣ କରୁଛନ୍ତି ଜାଣି ନାହାନ୍ତି (ଲୁକ ୨୩:୩୪)।
ଆଜି ଆମ୍ଭେମାନେ ପ୍ରତୀକାତ୍ମକଭାବେ ଘରେଘରେ ଘର ଛାତରେ ‘ବଡ଼ ଦିନର’ ଉଳ ତାରାଟିକୁ ସ୍ଥାପନ କରିଥାଉ। ଆଉ ୮୦୦ ବର୍ଷ ପରେ ପୁଣି ଏକ ଖ୍ରୀଷ୍ଟମାସ ତାରା ଅୟନାନ୍ତ ଦିବସରେ ପୃଥିବୀର କୌଣସି ଏକ ଗୋଲାର୍ଦ୍ଧରେ ପୁଣିଥରେ ଏକ ତାରା ଉଦ୍‌ଭାସିତ ହୋଇପାରେ, କିନ୍ତୁ ଯେଉଁମାନେ ଏହାକୁ ‘ବଡ଼ଦିନ’ର ତାରା ଭାବେ ଗ୍ରହଣ କରି ଗୁରୁତ୍ବ ପ୍ରଦାନ କରୁଥାନ୍ତି, ମାତ୍ର ଯିଶୁଙ୍କ ଆଦର୍ଶ ଯଥା- ପ୍ରେମ, ଶାନ୍ତି ଓ ସେବାର ବାର୍ତ୍ତାବହ ହେବାସହିତ, ପ୍ରକୃତ କାର୍ଯ୍ୟକାରୀ ନହୁଅନ୍ତି, ତେବେ ଏ ପୂଜା ଅର୍ଚ୍ଚନା, ପର୍ବ ପାଳନ ବୃଥା। ଏହା ଏକ ଔପଚାରିକତା ହୋଇ ଖ୍ରୀଷ୍ଟ ଯିଶୁଙ୍କର ଜଗତରେ ଜନ୍ମଲାଭ କରିବାର ଉଦ୍ଦେଶ୍ୟକୁ ଘନ ତିମିର ମଧ୍ୟରେ ମଗ୍ନ କରିବ।
ଆସନ୍ତୁ, ଯିଶୁଖ୍ରୀଷ୍ଟଙ୍କର ପବିତ୍ର ଜନ୍ମ ଦିବସରେ ତାଙ୍କର ଅାଜ୍ଞାର କାର୍ଯ୍ୟକାରୀ ହୋଇ କେବଳ ପ୍ରତୀକାତ୍ମକ ତାରା ନହୋଇ ପ୍ରକୃତ ‘ଆଲୋକ ବର୍ତ୍ତିକା’ ହେବା।
ମିହିର କୁମାର ସିଂହ
ଅବସରପ୍ରାପ୍ତ ବିଡିଓ, ଆଠଗଡ଼ ବ୍ଲକ, କଟକ
ଫୋ:୯୫୮୩୩୮୪୫୫୧

Comments are closed.