ଜିଲା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ସ୍ମାରକପତ୍ର

ନବରଙ୍ଗପୁର: ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ଡଃ କୋମଳ ଲୋଚନ ମିଶ୍ରଙ୍କୁ ଜିଲା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘ ତରଫରୁ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ପ୍ରଦୀପ କୁମାର ସାହୁ, ସରୋଜ ବେହେରା, କିଶୋର କୁମାର ପଟ୍ଟନାୟକ, ଶ୍ରୀନିବାସ ପାତ୍ର ସାକ୍ଷାତ କରି ଜିଲାର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ଏଗୁଡ଼ିକର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରାଯାଇଛି । ନବରଙ୍ଗପୁର ତହସିଲ ଓ ଜିଲାର ସମସ୍ତ ତହସିଲଗୁଡିକରେ ଜନସାଧାରଣଙ୍କ ସର୍ବନିମ୍ନ ସେବା ଯୋଗାଇବାରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖାଯାଉଛି । ସେଟେଲମେଣ୍ଟ ରିଭିଜନ ମାମଲାଗୁଡ଼ିକରେ ଜିଲାପାଳଙ୍କ ନିର୍ଦ୍ଦେଶନାମା ସତ୍ବେ ତହସିଲଗୁଡିକ ଏହା କାର୍ଯ୍ୟକାରୀ କରୁନାହାନ୍ତି। ଏଥିପାଇଁ ଜନ ସାଧାରଣ ଘର ତିଆରି କରି ପାରୁନାହାଁନ୍ତି, ନିଜ ଜମି ବିକ୍ରି କରି ପାରୁନାହାନ୍ତି, କୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତହସିଲ, ଉପଜିଲାପାଳ, ଅତିରିକ୍ତ ଉପଜିଲାପାଳ, ରେଭିନ୍ୟୁ କୋର୍ଟରେ ବିଭିନ୍ନ ଦଲିଲର ପ୍ରମାଣିତ ନକଲ ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର ଓ ବିବିଧ ପ୍ରମାଣ ପତ୍ର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି । ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ହେବ ଅତିରିକ୍ତ ଜିଲାପାଳ ଓ ରେଭିନ୍ୟୁ ଅଫିସରଙ୍କ କୋର୍ଟ କାର୍ଯ୍ୟ କରୁନାହିଁ । ଓଡିଶା ସରକାର ଜିଲାର ଗରିବ ଓ ନୀରିହ ଜନ ସାଧାରଣଙ୍କ ପାଇଁ ଗତ ୨୦୧୬ ମସିହାରୁ ପ୍ରତି ପଞ୍ଚାୟତରେ ‘ମଧୁସୂଦନ ଆଇନ ସହାୟତା କେନ୍ଦ୍ର’ ଆରମ୍ଭ କରିବାକୁ ଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ଏହି ସ୍ମାରକପତ୍ର ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା । ଏହା କାର୍ଯ୍ୟକାରୀ ହେଲେ ଜନସାଧାରଣ ବିନା ମୂଲ୍ୟରେ ଆଇନ ସହାୟତା ପାଇବେ । ଜିଲାର ଅତିରିକ୍ତ ସବ୍ କଲେକ୍ଟର, ତେନ୍ତୁଳିଖୁଣ୍ଟି ଅତିରିକ୍ତ ତହସିଲଦାର ଆଇନଜୀବୀମାନଙ୍କୁ ଉଚିତ୍ ବ୍ୟବହାର କରୁନଥିବା ଓ ବିଭିନ୍ନ କାର୍ଯ୍ୟାଳୟର କେତେକ କର୍ମଚାରୀ ଆଇନଜୀବୀ ଓ ଜନ ସାଧାରଣଙ୍କୁ ଠିକ୍ ବ୍ୟବହାର କରୁନଥିବା ଅଭିଯୋଗ ଜିଲାପାଳଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା ।

ସେହିଭଳି ନବରଙ୍ଗପୁର ଜିଲା ସଦରମହକୁମା ଡାକ୍ତରଖାନା ଓ ଅନ୍ୟ ସମସ୍ତ ଡାକ୍ତରଖାନାଗୁଡ଼ିକରେ ଡାକ୍ତର ନଥିବା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଅହେତୁକ ବିଦ୍ୟୁତ୍ କାଟ ସମ୍ବନ୍ଧରେ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଲିଖିତ ଭାବେ ଅନୁରୋଧ କରାଯାଇଛି। ନବରଙ୍ଗପୁର ହସ୍ପିଟାଲ ରାସ୍ତାର ଅନ୍ୟ ଅଞ୍ଚଳର ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ନଥିବାରୁ ଏହାର ପ୍ରତିକାର ଓ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରାଯାଇଛି । ଦୀର୍ଘ ଏକ ଘଣ୍ଟା ସଂଘ ପ୍ରତିନିଧିଙ୍କ ସହ ଜିଲ୍ଲା ପାଳ ଦୀର୍ଘ ଏକ ଘଣ୍ଟା ଆଲୋଚନା କରିଥିଲେ ଓ ଏସବୁର ପ୍ରତିକାର, ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଜିଲ୍ଲାସ୍ତରୀୟ ରେଭେନ୍ୟୁ ମିଟିଂରେ ଜିଲା ଆଇନଜୀବୀ ସଂଘର ପ୍ରତିନିଧି ନିୟମିତ ଭାବେ ଯୋଗଦେଇ ଜିଲାର ଆଇନଜୀବୀ ଓ ଜନସାଧାରଣଙ୍କ ଉପରୋକ୍ତ ସମସ୍ୟା ଉପସ୍ଥାପନ କରି ସେଗୁଡିକର ସମାଧାନ ପାଇଁ ଜିଲାପାଳ କହିଛନ୍ତି। ଏଭଳି କୌଣସି ସମସ୍ୟା ଥିଲେ ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ଲିଖିତ ଭାବେ ଜିଲା ଆଇନଜୀବୀ ସଂଘକୁ ଅବଗତ କରିପାରିବେ ଓ ସେଗୁଡିକୁ ଜିଲାର ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥାପିତ କରି ସମାଧାନ କରାଯିବ ବୋଲି ଆଇନଜୀବୀ ସଂଘ ତରଫରୁ କୁହାଯାଇଛି।

 

Comments are closed.