ପ୍ରେମିକା ଡାକିଲେ, ପୁଲିସ ପିଟିଲେ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ସୋମବାର ତାଙ୍କ ପ୍ରେମିକା ବରବରା ଜାବାରିକାଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି। ଚୋକ୍ଷି ମନୋରଞ୍ଜନ ନିମନ୍ତେ ଏହି ପ୍ରେମିକାଙ୍କ ସହିତ ଡୋମିନିକା ଯାଇଥିବାବେଳେ ସେଠାରେ ପୁଲିସ ଦ୍ବାରା ଗିରଫ ହୋଇ ବନ୍ଦୀ ରହିଛନ୍ତି। ପ୍ରେମିକା ଜାବାରିକାଙ୍କୁ ନେଇ ବିଭିନ୍ନ ପ୍ରକାର ଗୁଜବ ଶୁଣାଯାଉଥିବାବେଳେ ଏ ସମ୍ପର୍କରେ ଚୋକ୍ଷି ନିଜେ ମୁହଁ ଖୋଲିଛନ୍ତି। ସୋମବାର ଚୋକ୍ଷି କହିଛନ୍ତି ଯେ ଜାବାରିକାଙ୍କ ସହିତ ତାଙ୍କର ଗତ ଏକ ବର୍ଷ ହେଲା ବନ୍ଧୁତା ରହିଥିଲା। ଗତ ମେ ୨୩ ତାରିଖରେ ଚୋକ୍ଷିଙ୍କୁ ଜାବାରିକା ତାଙ୍କ ଘରକୁ ଡକାଇଥିଲେ। କେଉଁ ଆଡେ ଯିବା ଉଦ୍ଦେଶ୍ୟରେ ଚୋକ୍ଷିଙ୍କୁ ଜାବାରିକା ଡକାଇଥିଲେ। ଫଳରେ ଚୋକ୍ଷି ତାଙ୍କ କାର୍ ନେଇ ଜାବାରିକାଙ୍କ ଘରକୁ ଯାଇଥିଲେ। ତେବେ ଜାବାରିକାଙ୍କ ଘର ଫାଟକ ନିକଟରେ ଚୋକ୍ଷି ପହଞ୍ଚିବା ମାତ୍ରେ ୮ରୁ ୧୦ଜଣ ଲୋକ ତାଙ୍କୁ ଘେରି ଯାଇ ନିର୍ଦୟ ଭାବେ ମାଡ ମାରିଥିଲେ। ଜାବାରିକା ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଏହାର କୌଣସି ପ୍ରତିବାଦ କରି ନଥିଲେ କି ତାଙ୍କୁ ରକ୍ଷା ନିମନ୍ତେ କାହାର ସହାୟତା ଲୋଡି ନଥିଲେ।

ଚୋକ୍ଷି କହିଛନ୍ତି ଯେ ଜାବାରିକାଙ୍କ ସହାୟତାରେ ତାଙ୍କୁ ଅପହରଣ କରାଯାଇ ଡୋମିନିକା ଅଣାଯାଇଛି। ଆଉ ଯେଉଁମାନେ ତାଙ୍କୁ ମାଡ ମାରିଥିଲେ ସେମାନେ ଆଣ୍ଟିଗୁଆର ପୁଲିସର କର୍ମଚାରୀ। ଚୋକ୍ଷି କହିଛନ୍ତି ଯେ ସେ ମନୋରଞ୍ଜନ ଉଦ୍ଦେଶ୍ୟରେ ଡୋମିନିକା ଆସିନାହାନ୍ତି ବରଂ ତାଙ୍କୁ ଆଣ୍ଟିଗୁଆ ପୁଲିସ ଅପହରଣ କରି ଆଣିଛି। ମେ ୨୩ରେ ଚୋକ୍ଷି ଆଶ୍ଚର୍ଯ୍ୟଜନକ ଭାବେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ।

ଅନ୍ୟପଟେ ଗୁଇନ୍ଦା ତଥ୍ୟ ଅନୁଯାୟୀ ଚୋକ୍ଷି ଆଣ୍ଟିଗୁଆ ଛାଡି କ୍ୟୁବା ଚାଲିଯିବାକୁ ଯୋଜନା କରିଥିଲେ। ୧୩,୫୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ପରେ ଚୋକ୍ଷି ଭାରତରୁ ଲୁଚି ପଳାଇ ଆଣ୍ଟିଗୁଆରେ ରହିଆସୁଥିଲେ। ଆଣ୍ଟିଗୁଆ ସରକାର ତାଙ୍କୁ ନାଗରିକତ୍ବ ପ୍ରଦାନ କରିଥିଲେ। ତେବେ ଆଣ୍ଟିଗୁଆ ସରକାର ଚୋକ୍ଷିଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ନିଷ୍ପତ୍ତି ନେବା ପରେ ସେ ସେଠାରୁ ପଳାଇବାର ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ସେ କ୍ୟୁବା ଯିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ଚୋକ୍ଷି ଜଣେ ଏଜେଣ୍ଟଙ୍କ ସହିତ ଯୋଗାଯୋଗ କରିଥିଲେ। ଏଜେଣ୍ଟଙ୍କ କହିବା ଅନୁଯାୟୀ ଚୋକ୍ଷି ଆଉ ଏକ କାରବୀୟ ରାଷ୍ଟ୍ରର ନାଗରିକତ୍ବ ହାସଲ କରିଥିଲେ। ଚୋକ୍ଷି ସମୁଦ୍ର ପଥ ଦେଇ କ୍ୟୁବା ଯାଉଥିବାବେଳେ ଡୋମିନିକା ପୁଲିସ ତାଙ୍କୁ ବାଟରେ ଗିରଫ କରିଥିଲା। ଚୋକ୍ଷି ଏବେ ଡୋମିନିକାରେ ବନ୍ଦୀ ଥିବାବେଳେ ତାଙ୍କୁ ନୂଆଦିଲ୍ଲୀ ପ୍ରତ୍ୟର୍ପଣ ନିମନ୍ତେ ଭାରତ ସରକାର ଆବେଦନ କରିଛନ୍ତି। ଆବେଦନ ଉପରେ ଡୋମିନିକା ଉଚ୍ଚ ଅଦାଲତ ଶୁଣାଣି ଆରମ୍ଭ କରିଥିବାବେଳେ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଛନ୍ତି। ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନିମନ୍ତେ ଭାରତ ଦୃଢ ଆଶାବାଦୀ ରହିଛି।

Comments are closed.