ମେହେବୁବାଙ୍କ ନଜରବନ୍ଦୀ ଅବଧି ଆଉ ୩ ମାସ ବୃଦ୍ଧି, ସାଜାଦ ଲୋନ ମୁକ୍ତ

ଶ୍ରୀନଗର: ପିପୁଲ୍ସ ଡ଼େମୋକ୍ରାଟିକ ପାର୍ଟି (ପିଡ଼ିପି) ଅଧ୍ୟକ୍ଷା ତଥା ଜାମ୍ମୁକାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ନଜରବନ୍ଦୀ ଅବଧି ବୃଦ୍ଧି କରାଯାଇଛି । ତାଙ୍କୁ ଆଉ ୩ ମାସ ନଜରବନ୍ଦୀ ରହିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଗତବର୍ଷ ଜାମ୍ମୁକାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ମେହେବୁବାଙ୍କୁ ନଜରବନ୍ଦୀ ରଖାଯାଇଥିଲା । ଏହା ବିରୋଧରେ ସେ ଅଦାଲତର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ଗୃହ ବିଭାଗ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ମେହେବୁବା ନିଜ ସରକାରୀ ବାସଭବନରେ ଫେୟାରଭ୍ୟୁ ବଙ୍ଗଳାରେ ୩ ମାସ ନଜରବନ୍ଦୀ ରହିବେ । କିଛିଦିନ ତଳେ ତାଙ୍କୁ ତାଙ୍କର ସରକାରୀ ବାସଭବନକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କୁ ଜନସୁରକ୍ଷା ଅଧିନିୟମରୁ ମୁକ୍ତ କରାଯାଇ ନାହିଁ ଓ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ସେ ଘରେ ବନ୍ଦୀ ଭାବରେ ରହିବେ । ଗତବର୍ଷ ଜାମ୍ମୁକାଶ୍ମୀର ପୁନର୍ଗଠନ ଅଧିନିୟମ ଲାଗୁ ପରେ ମେହେବୁବାଙ୍କ ସହ ବହୁ ନେତାଙ୍କୁ ବନ୍ଦୀ କରାଯାଇଥିଲା । ଜାମ୍ମୁକାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ମେହେବୁବାଙ୍କୁ ପ୍ରଥମେ ହରି ନିବାସରେ ରଖାଯାଇଥିଲା ଏହାପରେ ତାଙ୍କୁ ଚସ୍ମାସାହିରେ ଏକ ସରକାରୀ ଅତିଥି ଭବନକୁ ସ୍ଥାନାନ୍ତର କରାଯାଇଥିଲା । ନଭେମ୍ବର ମାସରେ ତାଙ୍କୁ ଲାଲଚୌକରୁ କିଛି ଦୂର ଟ୍ରାନ୍ସପୋର୍ଟ ଲେନ୍ ଅଞ୍ଚଳର ଅନଏକ ସରକାରୀ ଅତିଥି ଭବନରେ ରଖାଯାଇଥିଲା । ତାଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ଫାରୁକ୍ ଅବଦୁଲ୍ଲାଙ୍କୁ ଗିରଫ କରାଯାଇଥିଲା । ତେବେ ପରବର୍ତୀ ସମୟରେ ଉମର ଓ ଫାରୁକଙ୍କୁ ମୁକ୍ତ କରାଯାଇଥିଲା ।

ତେବେ ଏକ ପକ୍ଷରେ ମେହେବୁବାଙ୍କ ନଜରବନ୍ଦୀ ଅବଧି ବୃଦ୍ଧି କରାଯାଇଥିବାବେଳେ ପିପୁଲ୍ସ କନଫରେନ୍ସ ନେତା ସାଜାଦ ଲୋନଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି । ଲୋନ ନିଜେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Comments are closed.