କୃଷକଙ୍କ ଭଳି ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ହେବ ଆନ୍ଦୋଳନ; ଯୁବପିଢ଼ିଙ୍କୁ ଅନୁରୋଧ କଲେ ମେହବୁବା

ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଏହାକୁ ଦୁଇଭାଗରେ ବିଭକ୍ତ କରି କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଜାମ୍ମୁ-କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦେବା ଲାଗି ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ଏଥିପାଇଁ ସେ କୃଷକଙ୍କ ଭଳି ଆନ୍ଦୋଳନ କରିବାକୁ ଆହ୍ବାନ ଦେବା ସହିତ ଯୁବପିଢ଼ିଙ୍କୁ ଏ ନେଇ ଅନୁରୋଧ କରିଛନ୍ତି। ଆମକୁ ରାଜ୍ୟ ମାନ୍ୟତା ଫେରିପାଇବା ଲାଗି କୃଷକମାନଙ୍କଠାରୁ ଶିକ୍ଷା ନେବା ଉଚିତ ବୋଲି କାଶ୍ମୀରର ପୁଲୱାମା ଜିଲାରେ ରବିବାର ଏକ କାର୍ଯ୍ୟକ୍ରମରେ ମେହବୁବା ମୁଫତି କହିଛନ୍ତି।

ପିଡିପି ମୁଖ୍ୟ ମେହବୁବା ମୁଫତି କହିଥିଲେ ଯେ, କୃଷକଙ୍କ ହାତରେ ନା ବନ୍ଧୁକ ଅଛି ନା ପଥର, ତା’ ସତ୍ବେ ସାରା ଦୁନିଆ ସେମାନଙ୍କ ସହିତ ଅଛି। ଜାମ୍ମୁ-କାଶ୍ମୀର ଲୋକମାନଙ୍କୁ ହରାଇଥିବା ରାଜ୍ୟ ମାନ୍ୟତା ପାଇବା ଲାଗି ଏଭଳି ଉଦ୍ୟମ ଏବଂ ସଂଘର୍ଷ କରିବା ଦରକାର। ଜାମ୍ମୁ-କାଶ୍ମୀରରେ ଶାନ୍ତି ସ୍ଥାପନ ଲାଗି ସରକାରଙ୍କୁ ଲୋକମାନଙ୍କ ସହିତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଲଏସିକୁ ନେଇ ଚୀନ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ ବାହାରିଲା। ଏହିଭଳି ଭାବେ ଏଠାକାର ସମସ୍ୟା ସମାଧାନ ପାଇଁ ସରକାର ଆଗକୁ ପଦକ୍ଷେପ ବଢ଼ାଇ ଲୋକଙ୍କ ସହିତ କଥା ହେବା ଉଚିତ।

ମୁଫ୍‌ତି ଆହୁରି କହିଥିଲେ ଯେ, କାଶ୍ମୀରରେ ଛୋଟ ଛୋଟ ପିଲା ବନ୍ଧୁକ ଧରୁଛନ୍ତି, ଯେଉଁମାନେ ଏନକାଉଣ୍ଟରରେ ପ୍ରାଣ ହରାଉଛନ୍ତି। ଏହି ରକ୍ତପାତ ରୋକିବା ଲାଗି ସରକାରଙ୍କୁ ମୁଖ୍ୟ ଭାବେ ଏଠାକାର ଯୁବପିଢ଼ିଙ୍କ ସହିତ ଆଲୋଚନା କରିବା ଆବଶ୍ୟକ। ବନ୍ଧୁକ ଏବଂ ପଥର ବଳରେ କିଛି ହାସଲ ହେବାର ନାହିଁ ବୋଲି ଘାଟିରେ ଅସ୍ତ୍ରଶସ୍ତ୍ର ଧରୁଥିବା ଯୁବପିଢ଼ିଙ୍କୁ ମୁଫ୍‌ତି ଆହ୍ବାନ ଦେଇଛନ୍ତି।

Comments are closed.